ମୋଦି ଶୁଣିଲେ ଦୁଇ ଛାତ୍ରଙ୍କ ‘ମନ୍ କି ବାତ୍’ ! ଛାତ୍ରଙ୍କ ଚିଠି କଲା କମାଲ୍; ୬୯ ବର୍ଷ ପରେ ସ୍କୁଲକୁ ଆସିଲା ବିଜୁଳି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଖକୁ ଆସୁଥିବା ଚିଠିର ଉତ୍ତର ଦେଇ ଏବଂ ଚିଠି ଜରିଆରେ ଆସୁଥିବା ସମସ୍ୟା ସମାଧାନ ଲାଗି ଅନୁରୋଧକୁ ରକ୍ଷା କରି ଚର୍ଚ୍ଚାର ପରିସରରେ ରହିଛନ୍ତି। କେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇ କିଏ ଝିଅ ବାହାଘର ପାଇଁ ଆର୍ଥିକ ସହାୟତା ମାଗୁଛି ତ ଆଉ କେଉଁଠି ଚିକିତ୍ସା ପାଇଁ ସାହାଯ୍ୟ ଭିକ୍ଷା କରୁଛି । ନିକଟରେ ପଶ୍ଚିମବଙ୍ଗର ମିଦନାପୁରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଘଟିଥିବା ଦୁର୍ଘଟଣାରେ ଆହତ ଜଣେ ଝିଅକୁ ମୋଦି ଅଟୋଗ୍ରାଫ ଦେବାପରେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବ ଆସିଥିବା ଖବର ପ୍ରକାଶ ପାଇଛି ।

ନିକଟରେ ଝାଡ଼ଖଣ୍ଡର ହୁସେନଗଞ୍ଜର ହାଇଦରନଗରରେ ଏପରି ଏକ ଘଟଣା ଘଟିଛି । ମୋଦିଙ୍କ ମନକି ବାତ୍ ଶୁଣି ଦୁଇ ଜଣ ଛାତ୍ର ସେମାନଙ୍କ ସ୍କୁଲରେ ବିଜୁଳି ସଂଯୋଗ ନ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେବେ ଛାତ୍ରଙ୍କ ଚିଠି ଦେଖାଇଛି କରାମତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ହେତୁ ଦୀର୍ଘ ୬୯ ବର୍ଷ ପରେ ସ୍କୁଲକୁ ବିଜୁଳି ପହଞ୍ଚିଛି ।

‘ମନ କି ବାତ୍’ କାର୍ଯ୍ୟକ୍ରମ ଶୁଣି ଝାଡ଼ଖଣ୍ଡ ହୁସେନାବାଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ର ପ୍ରମୋଦ କୁମାର ଓ ଆମୋଦ କୁମାର ସ୍କୁଲରେ ବିଜୁଳି ସଂଯୋଗ ନଥିବା ନେଇ ଚିଠି ଲେଖିଥିଲେ। ଛାତ୍ରଙ୍କ ଚିଠି ପାଇବା ପରେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉତ୍ତର ମିଳିଥିଲା । ଆଉ ଏହାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଥିଲା । ତୁରନ୍ତ ସ୍କୁଲରେ ଟ୍ରାନ୍ସଫରମର ଲଗାଇ ବିଜୁଳି ସଂଯୋଗ କରାଯାଇଥିଲା । ସ୍କୁଲର ପ୍ରିନସିପାଲଙ୍କ କହିବା ଅନୁସାରେ ପୂର୍ବରୁ ଏ ନେଇ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । କିନ୍ତୁ ଦୁଇ ଛାତ୍ରଙ୍କ ପ୍ରୟାସ ଯୋଗୁଁ ଏବେ ସ୍କୁଲରେ ବିଜୁଳି ସଂଯୋଗ ହୋଇପାରିଛି ।

ବିଜୁଳି ନଥିବା ଯୋଗୁଁ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଦିଆଯାଇପାରୁନଥିଲା । ଛାତ୍ର ଓ ଶିକ୍ଷକ/ଶିକ୍ଷୟତ୍ରୀମାନେ ଅନ୍ୟ ଅସୁବିଧା ମଧ୍ୟ ଭୋଗୁଥିଲେ । ବିଗତ ଦୁଇ ଦଶକ ଧରି ସ୍କୁଲରେ ବିଜୁଳି ସଂଯୋଗ ପାଇଁ ଦାବି କରାଯାଉଥିଲା । ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ଅସୁବିଧା ନେଇ ଅବଗତ କରାଯାଇଥିଲା । କିନ୍ତୁ କୌଣସି ଲାଭ ମିଳୁନଥିଲା । ଏବେ ଛାତ୍ରଙ୍କ ଏକ ଚିଠି ସ୍କୁଲକୁ ଆଲୋକିତ କରିଛି । ସୂଚନା ଅନୁସାରେ ୧୯୪୯ରେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ଆଉ ସେବେଠାରୁ ସ୍କୁଲକୁ ବିଜୁଳି ସଂଯୋଗ ଆସି ନଥିଲା ।

ସମ୍ବନ୍ଧିତ ଖବର