ବିହାରରେ ପୁଣି ଚାଲିଲା, ମୋଦୀ ଯାଦୁ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ ପାଇଁ ସତର୍କତାମୂଳକ ପଦକ୍ଷେପ ସକାଶେ ବିହାର ଭୋଟଗଣତି ମନ୍ଥର ହେଉଥିବାରୁ ଗଣତିକୁ ନେଇ ଶେଷ ପର୍ୟ୍ୟନ୍ତ ଉତ୍କଣ୍ଠା ଲାଗି ରହିଛି। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିହାରରେ ଏନ୍‌ଡିଏରେ ଜଣେ କନିଷ୍ଠ ଅଂଶୀଦାର ଥିବା ବିଜେପି ବରିଷ୍ଠ ଭାବେ ଉଭା ହୋଇଛି। ବିଜେପି ନିର୍ବାଚନ ଲଢ଼ିଥିବା ୧୧୦ ଆସନରୁ ୭୪ଟିରେ ଆଗୁଆ ରହିଥିବା ବେଳେ ସେଠାରେ ବଡ଼ଭାଇ ବୋଲାଉଥିବା ନୀତୀଶ କୁମାରଙ୍କ ଜେଡି(ୟୁ) ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୧୫ ଆସନରୁ ୪୩ଟିରେ ଅଗ୍ରଣୀ ରହିଥିଲା। ସେଠାରେ ଏନ୍‌ଡିଏ ଶାସନଭାର ସମ୍ଭାଳିବ କି ନାହିଁ ଅଲଗା କଥା, ତେବେ ତିନିବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛାଇ ପଡ଼ିଲେ ନାହି ଡେଉଁଥିବା ନୀତୀଶଙ୍କ ଠାରେ ଗ୍ରହଣ ଲଗାଇବାରେ ବିଜେପି ସକ୍ଷମ ହୋଇଛି। ଅବଶ୍ୟ ସଂଖ୍ୟାଧିକ ଆସନ ଜିତିବା ନିର୍ବିଶେଷରେ ନୀତୀଶ ହିଁ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା କରିଛି।

ମାତ୍ର ସହଯୋଗୀ ବିଜେପିର ଏପରି ଉଦାରତାକୁ ଜେଡି(ୟୁ) ମୁଖ୍ୟ ନୀତୀଶଙ୍କ ପାଇଁ ହଜମ କରିବା ସହଜ ନୁହେଁ। ଅପରପକ୍ଷେ, ଏହି ଫଳାଫଳ ଚିରାଗ ପାଶ୍ବାନଙ୍କ ଏଲ୍‌ଜେପିକୁ କେନ୍ଦ୍ର କରି ବିଜେପି-ଜେଡି(ୟୁ) ମଧ୍ୟରେ ଗୋପନରେ କୁହୁଳୁଥିବା ଉତ୍ତେଜନା ଏବେ ନିଆଁର ରୂପ ନେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଦ୍ବିତୀୟ ନେତା ଭାବେ କୃତଜ୍ଞତା ଜଣାଉଥିବା ଚିରାଗ କ୍ରମାଗତ ନୀତୀଶଙ୍କୁ ସମାଲୋଚିତ କରି ଆସୁଛନ୍ତି। ସୁତରାଂ ବିଜେପି କାଳେ ଜେଡି(ୟୁ) ଭୋଟଗୁଡ଼ିକ କାଟି ଚିରାଗଙ୍କ ସପକ୍ଷରେ ଦେଇଛି ବୋଲି ଜେଡି(ୟୁ) ସନ୍ଦେହ କରୁଥିଲା। ସେହିପରି ବିଶେଷ କରି ମୋଦୀଙ୍କ କଥା ଉଠିଲା ବେଳେ ନୀତୀଶଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ବିଜେପିର ଗୋଟିଏ ଗୋଷ୍ଠୀ ବରଦାସ୍ତ କରିପାରୁନଥିଲେ। ସେମାନଙ୍କର ଧାରଣା, ନୀତୀଶଙ୍କ ଲୋକପ୍ରିୟତା ହ୍ରାସ ହେଉଥିବା ସହ ଦଳ ସମ୍ଭାଳିବା ଭଳି ଆଉ ଦ୍ବିତୀୟ ନେତା ନଥିବାରୁ ଜେଡି(ୟୁ) ଖଣ୍ଡବିଖଣ୍ଡିତ ହୋଇଯିବ। ସୁତରାଂ ଯେଉଁମାନେ ଜେଡି(ୟୁ)ରୁ ବାହାରି ଆସିବେ ସେମାନେ ଶେଷରେ ବିଜେପିରେ ସାମିଲ ହେବେ ବୋଲି ଅନେକ ଆଶା କରୁଛନ୍ତି। ରାଜ୍ୟରେ ନିଜର ସହଯୋଗୀ ଦଳକୁ ଦୁର୍ବଳ କରି ଉପରକୁ ଉଠିବା ଏବେ ଜାତୀୟ ଦଳଗୁଡ଼ିକର ଅଭ୍ୟାସ ପାଲଟିଛି।

ମହାରାଷ୍ଟ୍ରରେ ଶିବସେନା ବିପକ୍ଷରେ ଏବଂ ପଞ୍ଜାବରେ ଅକାଳୀ ଦଳ ବିପକ୍ଷରେ ବିଜେପି ଏହି ନୀତି ଆପଣେଇଥିଲା। ପରିଣତି ସ୍ବରୂପ ସେମାନେ ମେଣ୍ଟରୁ ବାହାରିଯିବାକୁ ବାଧ୍ୟ ହୋଇଥିଲେ। ତେବେ ଜେଡି(ୟୁ) କ୍ଷେତ୍ରରେ ବିଜେପି ସେଭଳି ଆଚରଣ କରିନପାରେ। କାରଣ ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ନିର୍ବାଚନ ଥିବାରୁ ଆଉ ଜଣେ ସହଯୋଗୀ ହରାଇବାକୁ ବିଜେପି ଚାହିବନି। ଏଥି ସହିତ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅର୍ପଣ କରି ନିଜକୁ ଜଣେ ଭରସାଯୋଗ୍ୟ ମେଣ୍ଟ ସହଯୋଗୀ ବୋଲି ବିଜେପି ପ୍ରମାଣିତ କରିବାକୁ ଚାହୁଛି। ସର୍ବୋପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହା ଦୋହରା ବିଜୟ। ବିହାର ଭଳି ମହତ୍ବପୂର୍ଣ୍ଣ କେନ୍ଦ୍ରୀୟ ହିନ୍ଦୀଭାଷୀ ରାଜ୍ୟରେ ବିଜେପିର ଏହି ସଫଳତା ଦଳର ଗୁରୁତ୍ବକୁ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବଢ଼ାଇଦେବା ସହ ଝାଡ଼ଖଣ୍ଡ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସହିଥିବା କ୍ଷତିକୁ ଭରଣା କରିବ। ଏଥି ସହିତ କୋଭିଡ୍‌-ଆର୍ଥିକ ଦୁର୍ଗତି-ଚୀନ୍‌ ସ୍ଥିତି ସତ୍ତ୍ବେ ମୋଦିଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଥିବାରୁ ତାହା ବିଜେପିର ଦମ୍ବୋକ୍ତିକୁ ଆହୁରି ଦୃଢ଼ କରିବ।

ସମ୍ବନ୍ଧିତ ଖବର