ଅବଗଣନା ଆରମ୍ଭ: ମୋଦି ମ୍ୟାଜିକ୍‌ ଫେଲ୍‌

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଆଉ କାମ କରୁନାହିଁ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରଣନୀତି ମଧ୍ୟ ଫେଲ୍‌ ହୋଇଛି। ଗୋଟିଏ ପଟେ ମୋଦି ମ୍ୟାଜିକ୍‌ ଫିକା ପଡ଼ିବା ଓ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ଏନ୍‌୍‌ଡିଏ ବିରୋଧରେ ମଇଦାନକୁ ଓହ୍ଲାଇଥିବାରୁ ବିଜେପି ପାଇଁ ଆଗକୁ ବଡ଼ ସଙ୍କଟ ମାଡ଼ିଆସୁଛି। ଆଜି ପ୍ରକାଶ ପାଇଥିବା ୪ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନର ପରିଣାମ ବିଜେପିର ଚିନ୍ତା ବଢ଼ାଇ ଦେଇଛି। ବିରୋଧୀ ମେଣ୍ଟ ଏହି ୧୪ଟିରୁ ୧୧ଟି ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଛି। ଏବଂ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ଏକ ମହାମେଣ୍ଟ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ୨୦୧୯ ଯୁଦ୍ଧ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିବା ବେଳେ ୟୁପିର କୈରାନା ପରାଜୟ ବିଜେପିରେ କମ୍ପନ ସୃଷ୍ଟି କରିଛି। ଏହା ସହିତ ଦଳ ହାତରୁ ମହାରାଷ୍ଟ୍ରର ଭଣ୍ଡାର ଗୋନ୍ଦିୟା ଆସନ ମଧ୍ୟ ଖସିଯାଇଛି। କଂଗ୍ରେସ-ଏନ୍‌ସିପି ମେଣ୍ଟ ମହାରାଷ୍ଟ୍ରରେ ବିଜେପିକୁ ବଡ଼ ଝଟ୍‌୍‌କା ଦେବାରେ ସକ୍ଷମ ହୋଇଥିବାରୁ ଆଗକୁ ଏହି ମେଣ୍ଟ କାଏମ ରହିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ମହାରାଷ୍ଟ୍ରର ପାଲଘର ଆସନକୁ କଡ଼ା ମୁକାବିଲା ଭିତରେ ବିଜେପି ହାସଲ କରିଛି। ନାଗାଲାଣ୍ଡରେ ବିଜେପିର ସହଯୋଗୀ ରହିଥିବା ଏନ୍‌୍‌ଡିପିପି ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏହା ଦଳ ପାଇଁ ଆଶ୍ୱସ୍ତିର କାରଣ ହୋଇଛି। ୧୦ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି କେବଳ ଉତ୍ତରାଖଣ୍ଡର ଗୋଟିଏ ଆସନରେ ବିଜୟୀ ହୋଇଛି ଏବଂ ବିଭିନ୍ନ ରାଜ୍ୟରେ ବିଜେପି ତଥା ଏନ୍‌୍‌ଡିଏ ପାଇଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବିଜେପି ହାତରୁ ୨ଟି ଲୋକସଭା ଆସନ ଖସିଯାଇଥିବାରୁ ଏହା ଏନ୍‌୍‌ଡିଏର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ନିରାଶ କରିଛି। ନିକଟରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ତା’ର ସୁଚିନ୍ତିତ ରଣନୀତି କାର୍ଯ୍ୟକାରୀ କରି ଜେଡିଏସ୍‌ ସହ ହାତ ମିଳାଇବା ପରେ ସମସ୍ତ ବିରୋଧୀ ଦଳ ଗୋଟିଏ ମଂଚରେ ଏକାଠି ହୋଇଥିଲେ। ବିରୋଧୀମାନେ ଏକଜୁଟ ହୋଇ ଏବେ ପ୍ରତ୍ୟେକଟି ନିର୍ବାଚନରେ ବିଜେପିକୁ ମୁକାବିଲା କରୁଥିବା ବେଳେ ୨୦୧୯ ନିର୍ବାଚନରେ ଏଭଳି ମେଣ୍ଟକୁ ବିଜେପି କିଭଳି ପ୍ରତିହତ କରିବ ତାହାର କୌଣସି କୂଳକିନାରା ପାଉନାହିଁ।

ସମ୍ବନ୍ଧିତ ଖବର