କାମ କଲା ନାହିଁ ମୋଦୀ ମ୍ୟାଜିକ୍; ବିଜେପି ହାତରୁ ଖସିବାକୁ ଯାଉଛି ଝାଡ଼ଖଣ୍ଡ

ରାଞ୍ଚି: କଂଗ୍ରେସ ମୁକ୍ତ ଭାରତ ଗଢ଼ିବା ନାରା ଦେଉଥିବ‌ା ଭାରତୀୟ ଜନତା ପାର୍ଟି ହାତରୁ ପୁଣି ଗୋଟିଏ ରାଜ୍ୟ ଖସିଯିବା ସ୍ପଷ୍ଟ ହୋଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଯାବତ ମିଳିଥିବା ସୂଚନା ଅନୁସାରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମ୍ଏମ୍- କଂଗ୍ରେସ- ଆରଜେଡ଼ି ମେଣ୍ଟ ୪୫ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୨୬ଟିରେ ଆଗୁଆ ରହିଛି। ଅନ୍ୟ କ୍ଷୁଦ୍ର ଦଳ ଓ ସ୍ବାଧୀନ ମିଶି ୧୦ଟି ଆସନରେ ଆଗୁଆ ରହିଛନ୍ତି। ଏହା ହିଁ ସୂଚିତ କରୁଛି କି ରାଜ୍ୟରେ ୨୦୧୪ରୁ ଶାସନ କରୁଥିବା ବିଜେପି ସରକାରର ବିଦାୟ ବେଳ ଉପସ୍ଥିତ ହୋଇଛି।  ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡରେ ବ୍ୟାପକ ପ୍ରଚାର କରିଥିଲେ ମାତ୍ର ତାହା ବିଶେଷ ପ୍ରଭାବ ପକାଇ ପାରିନାହିଁ। ଗତ ଲୋକସଭା ନିର୍ବାଚନରେ ବିଜେପିକୁ ୫୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ତାହା ୩୩ ପ୍ରତିଶତକୁ ଖସିଆସିଛି। ଏହା ସ୍ପଷ୍ଟ ସୂଚିତ କରୁଛି କି କେଉଁଠି ନା କେଉଁଠି ବିଜେପିର ଲୋକପ୍ରିୟତା ଝାଡ଼ଖଣ୍ଡରେ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ କିମିଆ ସେଠାରେ କାମ କରିନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

OutLookIndia

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ପୁଣି ଆଉ ଏକ ରାଜ୍ୟ ହାତରୁ ଖସିବାକୁ ବସିଛି । ୨୦୧୭ରେ ବିଜେପି, ପାଖାପାଖି ୬୮ ପ୍ରତିଶତ ଜନସଂଖ୍ୟା ଉପରେ ଶାସନ କରୁଥିଲା । ହେଲେ ବର୍ତ୍ତମାନ ସ୍ଥିତି ଦେଖିଲେ ସ୍ପଷ୍ଟ ହେଉଛି ବିଜେପି ଲଗାତର ଗୋଟିଏ ପରେ ଗୋଟିଏ ରାଜ୍ୟ ହାରିବାରେ ଲାଗିଛି । ଆକଳନ କରାଯାଉଛି, ୨୦୧୯ରେ ବିଜେପି ଝାଡ଼ଖଣ୍ଡ ନିର୍ବାଚନ ହାରିବା ପରେ ଦେଶର ମାତ୍ର ୪୩ ପ୍ରତିଶତ ଜନଂସଖ୍ୟା ଉପରେ ଶାସନ କରିବ।

୨୦୧୪ରେ ବିଜେପି ଅକ୍ତିଆର କରିଥିଲା ୭ଟି ରାଜ୍ୟ । ୨୦୧୮ରେ ଏହା ବୃଦ୍ଧି ପାଇ ୧୯ରେ ପହଞ୍ଚିଥିଲା ।  ବିଜେପି ଓ ବିଜେପିର ମେଣ୍ଟ ଦଳ ଏହି ରାଜ୍ୟଗୁଡ଼ିକୁ ନିଜ କବଜାକୁ ନେଇ ଶାସନ ସମ୍ଭାଳୁଥିଲେ । ୨୦୧୪ରେ  ବିଜେପି ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ୨୦୧୯ରେ ବିଜେପି ହାତରେ ଏ ମଧ୍ୟରୁ କେବଳ ରହିଗଲା ହରିୟାଣା । ଅନ୍ୟ ସବୁ ରାଜ୍ୟ ବିଜେପି ହାତରୁ ଖସିଗଲା ।

ସମ୍ବନ୍ଧିତ ଖବର