ମାଳଦ୍ୱୀପରେ ମୋଦିଙ୍କ ପ୍ରଭାବ : ପୁଣି ନିବିଡ ହେଲା ସାମରିକ ସଂପର୍କ, ଫେରାଇବ ନାହିଁ ଭାରତର ସାମରିକ ହେଲିକାପ୍ଟର

ନୂଆଦିଲ୍ଲୀ: ମାଳଦ୍ୱୀପରେ ସରକାର ବଦଳିବା ପରେ ଭାରତ ପୁଣି ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ଗତ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଅମଳରେ ଦୁଇଦେଶ ମଧ୍ୟରେ ସଂପର୍କ ତୀକ୍ତ ହୋଇଥିଲା । ଏପରିକି ଭାରତ ମାଳଦ୍ୱୀପକୁ ଦେଇଥିବା ଦୁଇଟି ଧ୍ରୁବ ହେଲିକାପ୍ଟର ଫେରାଇ ନେବାକୁ ଗତ ଏପ୍ରିଲମାସରେ ମାଳଦ୍ୱୀପ ସରକାର କହିଥିଲେ । ଭାରତ ମଧ୍ୟ ଏଥିଲାଗି ପ୍ରକ୍ରିୟା ଆରମ୍ଭ କରିଦେଉଥିଲା । କିନ୍ତୁ ଏବେ ଉଭୟ ଦେଶ ମଧ୍ୟ କୂଟନୈତିକ ସ୍ତରରେ କଥାବାର୍ତ୍ତାପରେ ଏହି ଦୁଇଟି ହେଲିକାପ୍ଟରକୁ ରଖିବା ପାଇଁ ମାଳଦ୍ୱୀପ ରାଜି ହୋଇଛି । ମାଳଦ୍ୱୀପର ନବନିଯୁକ୍ତ ପ୍ରତିରକ୍ଷାମନ୍ତ୍ରୀ ମାରିୟା ଦିଦି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମର ସଂସ୍କୃତି ଏହା ନୁହେଁ ଯେ ଏକ ବନ୍ଧୁରାଷ୍ଟ୍ରଠାରୁ ଅଣାଯାଇଥିବା ଉପହାର ଫେରସ୍ତ ଦେଇଦେବୁ ।
ଗତ ସପ୍ତାହରେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ ।
ମାଳଦ୍ୱୀପରେ ଥିବା ଭାରତର ଦୁଇଟି ସାମରିକ ହେଲିକାପ୍ଟରକୁ ଫେରାଇ ନେବା ପାଇଁ ମାଳଦ୍ୱୀପ କହିବା ପରେ ଭାରତ ସରକାର ସେଗୁଡ଼ିକୁ ତୁରନ୍ତ ଫେରାଇଆଣିବାକୁ କୋଷ୍ଟଗାର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଉକ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ମାଳଦ୍ୱୀପର ଦକ୍ଷିଣରେ ଥିବା ଆଦୁ ଦ୍ୱୀପର ଗେନ ଏୟାରଫିଲ୍ଡରେ ଓ ଉତ୍ତରରେ ଥିବା ଲାମୁଠାରେ ଥିବା ଏୟାରଫିଲ୍ଡରେ ଭାରତର ଏହି ଦୁଇଟି ହେଲିକାପ୍ଟର ରହିଛି । ଏଗୁଡ଼ିକ ସହ ୧୨ ଜଣ ପାଇଲଟ ସହ ୨୫ ଜଣ ନୌସେନା ଓ କୋଷ୍ଟଗାର୍ଡ କର୍ମଚାରୀ ଅଛନ୍ତି ।

ସମ୍ବନ୍ଧିତ ଖବର