ମୋଦୀ-ମମତା ମୁହାଁମୁହିଁ, ଦିଦିଙ୍କ ପାଦତଳୁ ମାଟି ଖସୁଛି

ଟିଏମ୍‌ସି ‘ସିଣ୍ଡିକେଟ’ ବିକାଶରେ ବାଧକ, ଦିଦିଙ୍କ ପାଦତଳୁ ମାଟି ଖସୁଛି

ନୂଆଦିଲ୍ଲୀ: ପଶ୍ଚିମ ବଂଗର ଦୁର୍ଗାପୁରରେ ଆଜି ଅନୁଷ୍ଠିତ ବିଜେପି ରୢାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପଶ୍ଚିମ ବଂଗରେ ଦିଦିଙ୍କ ପାଦତଳୁ ମାଟି ଖସୁଛି ଏବଂ ସେ କ୍ଷମତାରୁ ଯିବା ନିଶ୍ଚିତ ବୋଲି ମୋଦୀ କହିଛନ୍ତି। ରାଜ୍ୟରେ ଯେ କୌଣସି କାମ ପାଇଁ ଟିଏମ୍‌ସି ନେତାଙ୍କ କମିସନି କାରବାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ପଶ୍ଚିମବଂଗରେ ଟିଏମ୍‌ସିର ଦୀପ ଲିଭିବା ପୂର୍ବରୁ ଏହା ଅଧିକ ହିଂସାମୁଖୀ ହୋଇଉଠିଛି। ବ‌ିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଲଗାତାର ଆକ୍ରମଣ ଚାଲିଛି। ତେବେ ଏହି ବଳିଦାନ ବ୍ୟର୍ଥ ହେବନାହିଁ ଏବଂ ଏହି ସରକାରର ପତନ ନିଶ୍ଚିତ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବଜେଟ୍‌ ସଂପର୍କରେ କହିଛନ୍ତି ଯେ ବିଗତ ସାଢ଼େ ୪ ବର୍ଷରେ ପଶ୍ଚିମବଂଗର ବିକାଶ ପାଇଁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି। ଏବେ କେନ୍ଦ୍ର ସରକାର କୃଷକ ଓ ଶ୍ରମିକଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଇ କାମ କରୁଥିବା ବେଳେ କଂଗ୍ରେସ ଏବଂ ଟିଏମ୍‌ସି ଭଳି ଦଳ ଏଥିରେ ବାଧକ ସାଜୁଛନ୍ତି। ସବୁ ବର୍ଗଙ୍କ ପାଇଁ ସରକାର ଗତକାଲି ଉପସ୍ଥାପିତ ବଜେଟ୍‌ରେ ଐତିହାସିକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହା କେବଳ ଏକ ଟ୍ରେଲର ଏବଂ ଆଗକୁ ପୂରା ଫିଲ୍ମ ଦେଖିବାକୁ ମିଳିବ ବୋଲି ମୋଦୀ କହିଛନ୍ତି। ରାଜ୍ୟ ସରକାର ବିକାଶ ପାଇଁ ଆଗ୍ରହ ଦେଖାଉ ନଥିବାରୁ ଲୋକେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉନାହାନ୍ତି। ଏଠାରେ ୯୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଆରମ୍ଭ ହୋଇପାରୁ ନାହିଁ। ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଟିଏମ୍‌ସିର ସିଣ୍ଡିକେଟ୍‌ ଯେଉଁ ପ୍ରକଳ୍ପରୁ ଫାଇଦା ଉଠାଇ ପାରୁନାହିଁ ସେହି ପ୍ରକଳ୍ପକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି ବୋଲି ମୋଦୀ କହିଛନ୍ତି। ଟିଏମ୍‌ସି ସରକାର ରାଜ୍ୟରେ ଗରିବ ଓ ମଧ୍ୟବିତ୍ତଙ୍କ ସ୍ବପ୍ନକୁ ଦଳି ଦେଉଛି। କଂଗ୍ରେସ କେବଳ ଦେଶବାସୀଙ୍କୁ ପ୍ରତାରିତ କରି ଚାଲିଥିବା ବେଳେ ପ୍ରତି ଦଶ ବର୍ଷରେ ଥରେ ଋଣ ଛାଡ଼ ଯୋଜନା ଆଣୁଛି। କିନ୍ତୁ ଏନ୍‌ଡିଏ ସରକାର ଏହି ସ୍ଥିତିକୁ ବଦଳାଇ କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ନୂତନ ପ୍ରୟାସ ଆରମ୍ଭ କରିଥିବା ମୋଦୀ କହିଛନ୍ତି।

କାର୍ଯ୍ୟକାଳ ମାସେ, ଟାଣ ଭାଙ୍ଗୁନି, ଅଫିସରଙ୍କୁ ଅସ୍ତ୍ର କରିଛନ୍ତି ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମମତା ବାନାର୍ଜୀଙ୍କ ଗଡ଼ରେ ତାଙ୍କୁ ଟାର୍ଗେଟ୍‌ କରି ଗର୍ଜିଥିବାବେଳେ ମମତା ବି ମୋଦୀଙ୍କୁ ଛାଡ଼ିନାହାନ୍ତି। ମମତା କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକୁ ଅପମାନିତ କରିବାପାଇଁ ମୋଦୀ ତାଙ୍କ ଅଫିସରଙ୍କୁ ବାଧ୍ୟ କରୁଛନ୍ତି। ଏହି ସରକାରଙ୍କ କାର୍ଯ୍ୟକାଳ ଆଉ ମାସଟିଏ ଥିଲେ ମଧ୍ୟ ଟାଣ ଭାଙ୍ଗୁନି। ଏଥିପାଇଁ ଅନ୍ତରୀଣ ବଜେଟ୍‌କୁ ସେ ବିରୋଧ କରୁଛନ୍ତି ଏବଂ ଗିରଫ ହେବାକୁ ବି ପ୍ରସ୍ତୁତ ବୋଲି ମମତା କହିଛନ୍ତି। ମୋଦୀ ଅଧିକାରୀମାନଙ୍କୁ ତାଙ୍କ ବାସଭବନକୁ ଡକାଇ ବିରୋଧୀ ଦଳ ନେତାଙ୍କ ସମ୍ମାନ ନଷ୍ଟ ହେଲା ଭଳି କିଛି କରିବାପାଇଁ ବାଧ୍ୟ କରିଥିବା ସେ ଜାଣିବାକୁ ପାଇଛନ୍ତି ବୋଲି ମମତା କହିଛନ୍ତି। ଉଲ୍ଲେଖଯୋଗ୍ୟ ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ମମତାଙ୍କ ଘନିଷ୍ଠ ସହଯୋଗୀ ଏବଂ ଅନେକ ଦିନ ଧରି ତାଙ୍କ ସଚିବ ଥିବା ମାଣିକ ମଜୁମଦାରଙ୍କୁ ସିବିଆ‌ଇ ଜେରା କରିବାପରେ ମମତା ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୋଦୀଙ୍କୁ କଟାକ୍ଷ କରିସେ କହିଛନ୍ତି ଯେ ତାଙ୍କ ରୋଷେୟାଙ୍କୁ କେଉଁଦିନ ଜେରା କରାଯିବ ତାହାକୁ ସେ ଅପେକ୍ଷା କରିଛନ୍ତି। ‘ରାଜନୈତିକ ଭାବେ ମୋଦୀ ଆମ ବିରୋଧରେ ଲଢ଼ି ପାରିବେ ନାହିଁ, ତେଣୁ ଅଫିସର୍‌ଙ୍କୁ ବ୍ୟବହାର କରି ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର