କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାର ବ୍ରିଗେଡ ପରେଡ୍ ଗ୍ରାଉଣ୍ଡ୍ରେ ଏକ ମେଗା ରୢାଲି ମାଧ୍ୟମରେ ବିଜେପିର ପ୍ରଚାର ଅଭିଯାନକୁ ଜୋର୍ଦାର କରିଛନ୍ତି। ବିଶାଳ ଜନତାଙ୍କ ଉପସ୍ଥିତିରେ ଉତ୍ସାହିତ ମୋଦୀ ମମତା ବାନାର୍ଜୀ, କଂଗ୍ରେସ ଏବଂ ବାମଦଳଙ୍କୁ ଟାର୍ଗେଟ କରିଥିଲେ। ପରୋକ୍ଷ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ମୋଦୀ କଡ଼ା ପ୍ରହାର କରିବାକୁ ଭୁଲି ନଥିଲେ। ପରିବାରବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମମତାଙ୍କୁ ଘେରିଥିଲେ। ମମତାଙ୍କୁ ପଶ୍ଚିମବଂଗର ଜନତା ‘ଦିଦି’ ଭାବେ ନିର୍ବାଚିତ କରିଥିବା ବେଳେ ମମତା କେବଳ ଜଣେ ପୁତୁରାର ‘ବୁଆ’ (ପିଉସୀ) ହୋଇ ରହିଗଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘ଦିଦି ଆପଣ କେବଳ ବଙ୍ଗାଲ୍ର ଝିଅ ନୁହନ୍ତି, ଆପଣ ତ’ ଭାରତର ଝିଅ। କିଛି ଦିନ ତଳେ ଆପଣ ନନ୍ଦିଗ୍ରାମରେ ସ୍କୁଟି ଚଳାଇବା ବେଳେ ସମସ୍ତେ ପ୍ରାର୍ଥନା କରୁଥିଲେ ଆପଣ ସକୁଶଳ ରୁହନ୍ତୁ। ଭଲ ହେଲା ଆପଣ ପଡ଼ି ନଥିଲେ। ଯଦି ପଡ଼ିଥାନ୍ତେ ତା’ହେଲେ ଯେଉଁ ରାଜ୍ୟରେ ସ୍କୁଟି ତିଆରି ହୋଇଥିଲା, ସେହି ରାଜ୍ୟକୁ ହି ଆପଣ ଶତ୍ରୁ ମାନି ନେଇଥାନ୍ତେ।’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବଙ୍ଗଳାର ବରପୁତ୍ରମାନଙ୍କୁ ସ୍ମରଣ କରି ମୋଦୀ କହିଥିଲେ ଯେ ଏହି ପବିତ୍ର ମାଟି ଦେଶକୁ ସଂସ୍କାରର ଶକ୍ତି ଦେଇଛି। ଜ୍ଞାନ ବିଜ୍ଞାନରେ ଭାରତର ଗୌରବ ବଢ଼ାଇଛି। କିନ୍ତୁ ଆପଣ (ମମତା) ଏହି ମାଟିକୁ ଧୋକା ଦେଇଛନ୍ତି, ବଙ୍ଗାଲର ସ୍ବପ୍ନକୁ ଚୁର୍ମାର କରିଦେଇଛନ୍ତି। ପରିବର୍ତ୍ତନର ସ୍ଲୋଗାନ ଦେଇ ଆପଣ କ୍ଷମତାକୁ ଆସିଥିଲେ କିନ୍ତୁ ଆପଣ ଲୋକଙ୍କ ବିଶ୍ବାସକୁ ଭାଙ୍ଗି ଦେଇଛନ୍ତି ଏବଂ ବାଂଲାକୁ ଆପମାନିତ କରିଛନ୍ତି। ଏବେ ଖେଳ ହେବ, ଖେଳ ହେବ’ ବୋଲି ବହୁତ କୁହାଯାଉଛି, କିନ୍ତୁ ଅସଲରେ ଖେଳ ଶେଷ ହେବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କଂଗ୍ରେସ ନେତା ରାହୁଲ ଗାନ୍ଧି ବିଭିନ୍ନ ଜନସଭାରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗପତି ବନ୍ଧୁଙ୍କ ପାଇଁ କାମ କରୁଥିବା ଅଭିଯୋଗ କରୁଥିବାରୁ ପ୍ରଧାନମନ୍ତ୍ରୀ ଆଜି ଏ ନେଇ ତୀବ୍ର କଟାକ୍ଷ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ-‘ଏବେ ଆମ ବିରୋଧୀ କହୁଛନ୍ତି, ମୁଁ ବନ୍ଧୁମାନଙ୍କ ପାଇଁ କାମ କରୁଛି। ସମସ୍ତେ ଜାଣନ୍ତି ଆମେ ପିଲା ବେଳେ ଯେଉଁମାନଙ୍କ ସହ ଖେଳୁଥିଲେ ପଢ଼ୁଥିଲେ ଏବଂ ବଢ଼ୁଥିଲେ ସେମାନେ ଆମର ଜୀବନ ତମାମ ଭଲ ବନ୍ଧୁ ହୋଇ ରହିବେ। ମୁଁ ବି ଦାରିଦ୍ରୢ ଭିତରେ ବଢ଼ିଛି ଏବଂ ସେମାନଙ୍କ ଦୁଃଖ ଯନ୍ତ୍ରଣା ଦେଖିଛି। ଭାରତର କେଉଁ କୋଣରେ ବି ଆମର ବନ୍ଧୁ ଥିଲେ ସେମାନଙ୍କ ସମସ୍ୟା ମୁଁ ଭଲଭାବେ ହୃଦୟଙ୍ଗମ କରୁଛି ଏବଂ ସେମାନଙ୍କ ପାଇଁ କାମ ଜାରି ରଖିବି। ଗରିବ ବନ୍ଧୁମାନେ କରୋନାକୁ ନେଇ ଆତଙ୍କିତ ଥିଲେ। ସେମାନଙ୍କୁ ମାଗଣାରେ ରାସନ, ଗ୍ୟାସ୍ ସିଲିଣ୍ଡର ଦିଆଗଲା।
ବ୍ୟାଙ୍କ ଖାତାରେ ସହାୟତା ଅର୍ଥ ପଡ଼ିଲା। ସେମାନଙ୍କ ଚିନ୍ତା ଦୂର ହେଲା। ଏବେ ମହଙ୍ଗା କୋଭିଡ୍ ଟିକା ମଧ୍ୟ ସରକାରୀ ହସ୍ପିଟାଲମାନଙ୍କରେ ମାଗଣାରେ ଦେବାକୁ ବ୍ୟବସ୍ଥା ହେଉଛି। ତେଣୁ ଗରିବ ବନ୍ଧୁଙ୍କ ସହିତ ‘ଦୋସ୍ତି’ ଚାଲିବ ନା ‘ବଟି ଆଦାୟ’ ଚାଲିବ ସେ ନିଷ୍ପତ୍ତି ଆପଣମାନଙ୍କର।’ କଂଗ୍ରେସ ଦଳ ବାରମ୍ବାର ପଶ୍ଚିମବଂଗର ଜନତାଙ୍କ ସହିତ ପ୍ରତାରଣା କରିଛି ଏବଂ ଭୋଟ୍ ବ୍ୟାଙ୍କ ରାଜନୀତିରେ ରାଜ୍ୟକୁ ତଳିତଳାନ୍ତ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରାୟ ୩ ଦଶନ୍ଧି ଧରି ବାମପନ୍ଥୀମାନେ ରାଜ୍ୟକୁ ଅନ୍ଧକାରରେ ରଖିଥିବା ବେଳେ ଆଜି କଂଗ୍ରେସ ସେମାନଙ୍କ ଆଶୀର୍ବାଦରେ ଆଗକୁ ବଢ଼ିବାକୁ ଚାହୁଛି। ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/dgsdg46666665dgdagdaaaaaaaaaaaaaaaa.jpg)
