ପୂର୍ବତନ ସ୍କୁଲ୍‌ ଶିକ୍ଷକଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ଛାତ୍ରଙ୍କ ସଫଳତା ହିଁ ଜଣେ ଶିକ୍ଷକଙ୍କ ଜୀବନରେ ସବୁଠାରୁ ବଡ଼ ଖୁସି ବୋଲି କୁହାଯାଏ। ତେବେ ଯେଉଁ ଶିକ୍ଷକଙ୍କ ଛାତ୍ର ଦେଶର ପ୍ରଧାନମନ୍ତ୍ରୀ ହୋଇଯିବେ ସେହି ଶିକ୍ଷକଙ୍କ ଖୁସି କିଭଳି ଥିବ ଅନୁମାନ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଗୁଜରାଟ ଗସ୍ତ ଅବସରରେ ନବସରୀ ଜିଲ୍ଲାର ଭଦୋଦରାରେ ତାଙ୍କ ସ୍କୁଲ୍‌ ଶିକ୍ଷକଙ୍କୁ ‌ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଶିକ୍ଷକ ଜଗଦୀଶ ଭାଇ ନାଏକଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଫଟୋରେ ମୋଦୀ ହାତଯୋଡ଼ି ତାଙ୍କ ଶିକ୍ଷକଙ୍କୁ ପ୍ରଣାମ କରୁଛନ୍ତି ଏବଂ ଶିକ୍ଷକ ମୋଦୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରୁଛନ୍ତି। ଜଗଦୀଶ ଭାଇ ବଡ଼ନଗରରେ ସ୍କୁଲରେ ଦୀର୍ଘବର୍ଷ ଧରି ଶିକ୍ଷକ ରହିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ପାଠ ପଢ଼ାଇଥିଲେ। ଏବେ ସେ ଗୁଜରାଟର ବ୍ୟାରା ଟାଉନସିପ୍‌ରେ ରହୁଛନ୍ତି। ମୋଦୀଙ୍କୁ ପ୍ରଶଂସା କରି ଜଗଦୀଶ ଭାଇ କହିଛନ୍ତି, ନରେନ୍ଦ୍ର ମୋର ଜଣେ ଛାତ୍ର ଭାବେ ସବୁବେଳେ ବିଶ୍ବବ୍ୟାପୀ ଆଲୋକ ବାଣ୍ଟିବାକୁ ପ୍ରସ୍ତୁତ ଥିଲେ।

ମୋଦୀ ଶୁକ୍ରବାର ଦିନ ଗୁଜରାଟର ନବସରୀରେ ୩,୦୫୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗସ୍ତ ଅବସରରେ ସେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୋ‌ଦୀ ୭ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଏମ୍‌ ନାଏକ ହେଲ୍‌ଥକେୟାର କମ୍ପ୍ଲେକ୍ସ ଏବଂ ନିର୍‌ଲି ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର