ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ମୋଦୀ-ପୁଟିନ ସାକ୍ଷାତ

ସମରକନ୍ଦ : ଉଜବେକିସ୍ତାନର ସମରକନ୍ଦଠାରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି ।

ଏହି ଅବସରରେ ପୁଟିନ ମୋଦୀଙ୍କୁ କହିଥିଲେ, ୟୁକ୍ରେନ ପ୍ରସଙ୍ଗରେ ଆପଣଙ୍କ ଆଭିମୁଖ୍ୟ ଓ ଚିନ୍ତା ଆମେ ଜାଣିଛୁ । ଆମେ ସମସ୍ତେ ଚାହୁଁଛୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ହେଉ ବୋଲି । ସେଠାରେ କଣ ଘଟୁଛି ଆମେ ଆପଣଙ୍କୁ ସୂଚନା ଦେଇଚାଲିବୁ । ପୁଟିନ ମଧ୍ୟ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ।

ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିଥିଲା । କାରଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଏବେ ସମଗ୍ର ବିଶ୍ବରେ ଏକଘରିକିଆ ହୋଇଯାଇଛନ୍ତି । ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଛନ୍ତି । ଏହା ସତ୍ତ୍ବେ ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଛନ୍ତି । ଏପରିକି ଭାରତ ରୁଷଠାରୁ ତେଲ କିଣିଚାଲିଛି । ଏଣୁ ମୋଦୀ-ପୁଟିନ ଭେଟକୁ ନେଇ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶମାନେ କିପରି ପ୍ରତିକ୍ରିୟା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ବିଶେଷକରି ଆମେରିକା ଏ ନେଇ କଡ଼ା ପ୍ରତିକ୍ରିୟା ଦେବାର ସମ୍ଭାବନା ରହିଛି ।

 

 

ସମ୍ବନ୍ଧିତ ଖବର