ମୋଦୀଙ୍କୁ ଫୋନ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ

ନୂଆଦିଲ୍ଲୀ :    ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଉପସାଗରୀୟ ଅଞ୍ଚଳରେ  ଉତ୍ତେଜନା ଚାଲିଥିବାବେଳେ ଦୁଇ ନେତାଙ୍କ ଏହି ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି ।

ନେତନ୍ୟାହୁ ଭାରତର ୭୧ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଓ ଭାରତବାସୀଙ୍କୁ ନିଜର ହାର୍ଦ୍ଦିକ ଶୁଭକାମନା ଜ୍ଞାପନ କରିଥିଲେ । ଦୁଇ ନେତା ୨୦୨୦ ନବବର୍ଷ ଲାଗି ପରସ୍ପରକୁ ଶୁଭକାମନା ଓ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୃଷି, ଜଳ ଓ ଷ୍ଟାର୍ଟଅପ କ୍ଷେତ୍ରରେ ଅଭିନବ ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ସୁବିଧାଜନକ କରିବାର ପ୍ରୟାସକୁ ସ୍ୱାଗତ କରିଥିଲେ ।

ଦୁଇ ନେତା ପରସ୍ପରର ସ୍ୱାର୍ଥ ଜଡ଼ିତ ବୈଶ୍ୱିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର ବିନିମୟ କରିଥିଲେ । ସେମାନେ କ୍ଷେତ୍ରରେ ଆଗାମୀ ପ୍ରୟାସ ଓ ଘଟଣାକ୍ରମ ସମ୍ବନ୍ଧରେ ପରସ୍ପରର ସହ ସମ୍ପର୍କରେ ରହିବା ଲାଗି ସହମତି ବ୍ୟକ୍ତ କରିଥିଲେ ।

ସମ୍ବନ୍ଧିତ ଖବର