ପାଟନା: ବିହାର ରାଜନୈତିକ ଦୃଶ୍ୟପଟରେ ୨୦୨୫ ବିଧାନସଭା ନିର୍ବାଚନ ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଏନ୍ଡିଏର ସୁନାମି ମହାମେଣ୍ଟର ପ୍ରତ୍ୟାବର୍ତ୍ତନ ଯୋଜନାକୁ ଧୂଳିସାତ କରିଦେଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ୨୦୦ରୁ ଅଧିକ ଆସନ ଜିତି ଏନ୍ଡିଏ ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ବିରୋଧୀ ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଯାଇଛି। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଆର୍ଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ମହାମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଭିଆଇପି ଦଳ ଖାତା ଖୋଲି ପାରିନାହିଁ। ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମଧ୍ୟ ଗୋଟିଏ ଆସନ ହାସଲ କରିବାକୁ ସକ୍ଷମ ହୋଇ ପାରିନାହିଁ। ଅନ୍ୟପକ୍ଷରେ ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ଦଳ ୫ ଆସନ ହାସଲ କରି ମହାମେଣ୍ଟକୁ ଝଟକା ଦେଇଛି। ଆଜିର ନିର୍ବାଚନ ଫଳ ବିହାର ରାଜନୀତିରେ ଏନ୍ଡିଏର ଆଧିପତ୍ୟକୁ ସୁଦୃଢ଼ କରିଥିବା ବେଳେ ଇଣ୍ଡି ମେଣ୍ଟର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ, ଏନ୍ଡିଏର ଭୋଟ୍ ୪୭ ପ୍ରତିଶତ ରହିଥିବା ବେଳେ ମେଣ୍ଟକୁ ୨୦୨ ଆସନ ମିଳିଛି। ବିଜେପି ୮୯ଟି ଆସନରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ୮୫ଟି ଆସନ ହାସଲ କରି ଦ୍ବିତୀୟ ବୃହତ୍ତମ ଦଳ ହୋଇଛି। ଏନ୍ଡିଏର ଅନ୍ୟ ସଦସ୍ୟମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ୧୯ ଆସନରେ ବିଜୟୀ ହେବା ଦଳ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ଦଳର ସୁପ୍ରିମୋ ଚିରାଗ ପାସୱାନ ଏନ୍ଡିଏରେ ନିଜ ସ୍ଥିତି ସୁଦୃଢ କରିବାକୁ ସକ୍ଷମ ହୋଇଛନ୍ତି। ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ଏଚ୍ଏମ୍) ୫ଟି ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍) ୪ଟି ଆସନ ହାସଲ କରିଛି। ମହିଳା ମତଦାତାଙ୍କ ବ୍ୟାପକ ଅଂଶଗ୍ରହଣ ଓ ମୋଦୀ-ନୀତୀଶଙ୍କ ଆକର୍ଷଣୀୟ ପ୍ରଚାର ଦ୍ୱାରା ଏନ୍ଡିଏକୁ ଏଭଳି ସଫଳତା ମିଳିଛି ବୋଲି ଉଭୟ ବିଜେପି ଓ ଜେଡିୟୁ ନେତାମାନେ କହିଛନ୍ତି।
ବିହାରରେ ଧର୍ମେନ୍ଦ୍ରଙ୍କ ଯାଦୁ, ତେଜସ୍ବୀଙ୍କ ତେଜ ନିଷ୍ପ୍ରଭ
ପିକେଙ୍କ ଖାତା ଖୋଲିଲାନି, ମହାମେଣ୍ଟ ଚିତ୍ପଟାଙ୍ଗ୍
ରାହୁଲଙ୍କ କଂଗ୍ରେସ ଦୁର୍ବଳ, ଚମ୍କିଲେ ଚିରାଗ ପାସୱାନ
ଅନ୍ୟକ୍ଷରେ ଆର୍ଜେଡି ଓ କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟ ଏନ୍ଡିଏର ରଣନୀତିରେ ଧରାଶାୟୀ ହୋଇଛି। ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଥିବା ବେଳେ ଆରଜେଡି ଏଥର ମାତ୍ର ୨୫ଟି ଆସନରେ ବିଜୟୀ ହୋଇଛି। ମାତ୍ର ୫ଟି ଆସନରେ ସୀମିତ ରହିଥିବା କଂଗ୍ରେସ, ମହାମେଣ୍ଟ ପାଇଁ ବିପର୍ଯ୍ୟୟ ଆଣିଛି। ସିପିଆଇ (ଏମ୍ଏଲ)(ଏଲ) ୨ଟି ଏବଂ ସିପିଏମ୍ ୧ଟି ଆସନ ପାଇଛି। ମହାମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଭିଆଇପି ଖାତା ଖୋଲି ନପାରିବା ବଡ଼ ଝଟକା ହୋଇଛି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ନିଜ ପାରିବାରିକ ଗଡ଼ ରାଘୋପୁରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଭାଇ ତେଜପ୍ରତାପ ଯାଦବ ଜନଶକ୍ତି ଜନତା ଦଳ (ଜେଜେଡି) ବ୍ୟାନର୍ରେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ଏନ୍ଡିଏର ରଣନୀତିକୁ ପ୍ରତିହତ କରିବା ଏବଂ ସମନ୍ୱୟର ଅଭାବ ମହାମେଣ୍ଟ ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଏହି ନିର୍ବାଚନରେ ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ମୁସଲିମ ଅଧ୍ୟୁଷିତ ସୀମାଞ୍ଚଳ ଅଞ୍ଚଳରେ ୫ଟି ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ୨୫ ବର୍ଷୀୟା ଲୋକଗାୟିକା ମୈଥିଳୀ ଠାକୁର ବିଜେପି ଟିକେଟରେ ଅଲିନଗରରୁ ପ୍ରଥମ ବିଜୟ ହାସଲ କରିଛନ୍ତି। ଏନ୍ଡିଏ ମେଣ୍ଟର ଏହି ବିଶାଳ ବିଜୟ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱକୁ ଅଧିକ ଦୃଢ଼ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/15/fhfsfhsxvb-2025-11-15-01-05-19.jpg)