ଜାତି ଆଧାରରେ ମୋଦୀଙ୍କୁ ପ୍ରଭାବିତ କରିଥିଲେ ଓବାମା

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବଢାଇ ପ୍ରଭାବିତ କରିବା ପାଇଁ ‘ଜାତି’କୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ ବୋଲି ଓବାମାଙ୍କ ଜଣେ ସହଯୋଗୀ ସୂଚନା ଦେଇଛନ୍ତି। ଓବାମାଙ୍କ ସହଯୋଗୀ ବେଞ୍ଜାମିନ୍‌ ରୋଡ୍‌ସ କହିଛନ୍ତି ସେ କେବେ ଭୁଲିବେନି ପାରିସ୍‌ ଚୁକ୍ତି ବେଳେ ଓବାମା ଏବଂ ମୋଦୀଙ୍କ ମଧ୍ୟରେ ହୋଇଥିବା ଦୀର୍ଘ ୩୦ ମିନଟର ଆଲୋଚନାକୁ। ଭାରତର ଅଧିକାରୀମାନେ ଚୁକ୍ତିକୁ ବିରୋଧ କରୁଥିବା ବେଳେ ଓବାମା କୌଣସି ଉପାୟ ପାଇନଥିଲେ। ଏଭଳି ସମୟରେ ମୋଦୀ ପହଂଚିବା ପରେ ଓବାମା ମୋଦୀଙ୍କ ସମର୍ଥନ ଚାହିଁଥିଲେ। ତେବେ ଭାରତର ୩୦ କୋଟି ଲୋକ ବିନା ବିଜୁଳିର ରହୁଥିବା ବେଳେ ତାଙ୍କୁ କୋଇଲା ବ୍ୟବହାର ନକରିବାକୁ କୁହାଯାଉଛି ବୋଲି ମୋଦୀ ଓବାମାଙ୍କୁ କହିଥିଲେ। ଏହା ପରେ ମୋଦୀଙ୍କୁ ମନାଇବାକୁ ଓବାମା ତାଙ୍କର ମୂଳ ଜାତିବର୍ଣ୍ଣ ଏବଂ ଆଫ୍ରିକା ସମ୍ପର୍କ ବିଷୟରେ କହି ମୋଦୀଙ୍କୁ ରାଜି କରାଇଥିଲେ ବୋଲି ରୋଡ୍‌ସ ପ୍ରକାଶ କରିଛନ୍ତି। ପାରିସ୍‌ ଜଳବାୟୁ ଚୁକ୍ତି ବେଳେ ଭାରତର ସମର୍ଥନ ହାସଲ କରିବା ଆମେରିକା ପାଇଁ ଗୁରୁତ୍ୱପୂର୍ଣ ଥିଲା। ତେଣୁ ମୋଦୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବଢାଇ ଭାରତର ସମର୍ଥନ ହାସଲ କରାଯାଇପାରିବ ବୋଲି ଓବାମାଙ୍କୁ କୁହାଯାଇଥିଲା। ତେଣୁ ସେ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ‘ଷ୍ଟେଟ୍‌ ଅଫ୍‌ ୟୁନିଅନ ଆଡ୍ରେସ୍‌’ରେ ପ୍ରସ୍ତାବ ଆଗତ କରିଥିଲେ। ଓବାମା ଭାରତକୁ ଦୁଇ ଥର ଆସିଥିବା ଆମେରିକାର ପ୍ରଥମ ରାଷ୍ଟ୍ରପତି।

ସମ୍ବନ୍ଧିତ ଖବର