ବାଲିରେ ବାଲିଯାତ୍ରା କଥା କହିଲେ ମୋଦୀ : ବାଲିଯାତ୍ରା ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ସଂପର୍କର ପ୍ରତୀକ

ବାଲି :  କଟକରେ ଚାଲିଥିବା ବାଲିଯାତ୍ରା ମହୋତ୍ସବ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ବାଣିଜ୍ୟିକ ସଂପର୍କର ଏକ ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି ହେଉଥିବେ ।

କୋଭିଡ୍ ମହାମାରୀ ଯୋଗୁଁ ଗତ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା, କିନ୍ତୁ ଏଥର ବାଲିଯାତ୍ରା ମହୋତ୍ସବ ଆଡ଼ମ୍ବରରେ ପାଳନ ହେଉଛି ଓ ଲକ୍ଷ ଲକ୍ଷ ଲୋକ ଯୋଗ ଦେଉଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସାଂସ୍କୃତିକ ସଂପର୍କ ରହିଛି । କଠିନ ସମୟରେ ଭାରତ ଇଣ୍ଡୋନେସିଆ ପଛରେ ଛିଡ଼ା ହୋଇଛି । ୨୦୧୮ରେ ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିବାବେଳେ ଭାରତ ସରକାର ତୁରନ୍ତ ସମୁଦ୍ର ମୈତ୍ରୀନାମକ ସହାୟତା ଅପରେସନ ଆରମ୍ଭ କରିଥିଲେ ।

ଭାରତରେ ଏବେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାବେଳେ ଭାରତ ଇଣ୍ଡୋନେସିଆର ସମୃଦ୍ଧ ରାମାୟଣ ସଂସ୍କୃତିକୁ ମନେ ପକାଉଛି ।

ସମ୍ବନ୍ଧିତ ଖବର