ଆମେରିକା ଗସ୍ତରେ ମୋଦୀ: ରଣନୀତିକ ସମ୍ପର୍କ ସୁଦୃଢ଼ ପାଇଁ ସୁଯୋଗ

ପାକିସ୍ତାନ ବାୟୁସୀମା ଦେଇ ଗଲା ମୋଦୀଙ୍କ ବିମାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଆମେରିକାରେ ମୋଦୀ ଜାତିସଂଘ ସାଧାରଣ ପରିଷଦରେ ଉଦ୍‌ବୋଧନ ଦେବେ। ଏହା ପୂର୍ବରୁ କ୍ବାଡ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବାପରେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ। ପୂର୍ବରୁ ୩ଥର ମୋଦୀ-ବାଇଡେନ୍‌ଙ୍କ ମଧ୍ୟରେ ଭର୍ଚୁଆଲ୍‌ ସାକ୍ଷାତ ହୋଇଥିଲା। ମୋଦୀଙ୍କ ସହ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ତଥା ବି‌ଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ୍‌ ଗସ୍ତ କରିଛନ୍ତି। ଆମେରିକା ଗସ୍ତରେ ବାହାରିବା ପୂର୍ବରୁ ମୋଦୀ ଆଜି ଏକ ବିବୃତି ଜାରି କରି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିମନ୍ତ୍ରଣକ୍ରମେ ମୁଁ ଆମେରିକା ଗସ୍ତ କରୁଛି।

କରୋନା ମହାମାରୀ, ଆତଙ୍କବାଦ ନିରୋଧ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ୟୁଏନ୍‌ଜିଏ ବୈଠକରେ ଗୁରୁତ୍ବାରୋପ କରିବେ ବୋଲି ମୋଦୀ କହିଛନ୍ତି। ଏହି ଗସ୍ତ ରଣନୈତିକ ସମ୍ପର୍କ ସୁଦୃଢ଼ କରିବାର ଏକ ସୁଯୋଗ ବୋଲି ମୋଦୀ କହିଛନ୍ତି। ସେପ୍ଟେମ୍ବର ୨୪ରେ ମୋଦୀ ବାଇଡେନ୍‌ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ମଧ୍ୟ ମୋଦୀ ଦ୍ବିପାକ୍ଷିକ ବୈଠକ କରିବେ। ଆସନ୍ତାକାଲି ମୋଦୀ ଆମେରିକାର ପ୍ରମୁଖ କମ୍ପାନିର ସିଇଓମାନଙ୍କୁ ଭେଟିବେ। ୨୪ରେ ପ୍ରଥମ ପ୍ରତ୍ୟକ୍ଷ କ୍ବାଡ୍‌ ବୈଠକ ହେବ ଏବଂ ୨୫ ତାରିଖରେ ମୋଦୀ ୟୁଏନ୍‌ଜିଏ ବୈଠକରେ ଉଦ୍‌ବୋଧନ ଦେବେ । ମୋଦୀଙ୍କ ଆମେରିକା ଗସ୍ତ ପାଇଁ ପାକିସ୍ତାନ ଏହାର ବାୟୁସୀମା ବ୍ୟବହାର ଅନୁମତି ଦେଇଛି। ଆଫଗାନିସ୍ତାନ ବାୟୁସୀମ‌ା ଦେଇ ନଯିବାପାଇଁ ମୋଦୀଙ୍କ ବିମାନ ପାକିସ୍ତାନ ବାୟୁସୀମା ଦେଇ ଯାଇଛି। ଏଥିପାଇଁ ଅଧିକ ସମୟ ଲାଗିଛି।

 

ସମ୍ବନ୍ଧିତ ଖବର