ଜି-୭ ସମ୍ମିଳନୀ ପାଇଁ ଇଟାଲି ଗସ୍ତରେ ମୋଦୀ: ଫୋକସ୍‌ରେ ଇସ୍ରାଏଲ, ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲି ଗସ୍ତ କରିଛନ୍ତି। ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଇଟାଲିର ଅପୁଲିଆ ଗସ୍ତ କରୁଛନ୍ତି। ଗସ୍ତ ଆରମ୍ଭ କରିବା ପୂର୍ବରୁ ମୋଦୀ ଆଜି ଏକ ବିବୃତି ଜାରି କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ମୁଁ ୧୪ ତାରିଖରେ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଇଟାଲିର ଅପୁଲିଆ ଅଞ୍ଚଳ ଗସ୍ତ କରୁଛି।

ତୃତୀୟ ପାଳିରେ ମୋର ପ୍ରଥମ ବିଦେଶ ଗସ୍ତ ଇଟାଲିକୁ ଜି-୭ ସମ୍ମିଳନୀ ପାଇଁ ହୋଇଥିବାରୁ ଏଥିରେ ମୁଁ ବହୁତ ଖୁସି।’ ଜି-୭ ସମ୍ମିଳନୀ ଅବସରରେ ମୋଦୀ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ଏବଂ ପୋପ୍‌ ଫ୍ରାନ୍‌ସିସଙ୍କୁ ମଧ୍ୟ ଭେଟିପାରନ୍ତି। ଉଲ୍ଲେଖଯୋଗ୍ୟ, ଜି-୭ ସମ୍ମିଳନୀରେ ଏହା ଭାରତର ଏକାଦଶ ଯୋଗଦାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଲଗାତାର ପଞ୍ଚମ ଥର ପାଇଁ ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଉଛନ୍ତି। ତେବେ ଚଳିତ ବର୍ଷ ଜି-୭ ସମ୍ମିଳନୀରେ ମୁଖ୍ୟ ଫୋକସ୍‌ ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବଂ ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ରହିବ ବୋଲି ଜଣାପଡ଼ିଛି। ଏହା ସହିତ ଗୁଇନ୍ଦା ସହଯୋଗ, ଶକ୍ତି ଏବଂ ଆଫ୍ରିକା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ।

ସମ୍ବନ୍ଧିତ ଖବର