କାଠମାଣ୍ଡୁ: ରବିବାର ଦିନ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଏବେ ବି ନିଖୋଜ ଅଛନ୍ତି | ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ବୋଲି ଜଣାପଡିଛି | ଏହି ବିମାନ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନେପାଳର ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରି ମୋଦୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ନେପାଳରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଦୁଃଖିତ | ଏହି ବିମାନ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ସମେତ ବହୁମୂଲ୍ୟ ଜୀବନ ଚାଲିଯାଇଛି । ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଉଛି |

Advertisment


ବିମାନରେ ପାଞ୍ଚ ଜଣ ଭାରତୀୟଙ୍କ ବ୍ୟତୀତ ଚାରି ଜଣ ଋଷ, ଦୁଇ ଜଣ କୋରିଆ ନାଗରିକଙ୍କ ବ୍ୟତୀତ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଆର୍ଜେଣ୍ଟିନା ଏବଂ ଇସ୍ରାଏଲର ଜଣେ ନାଗରିକ ଥିଲେ। ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ପରିଚୟ ମଧ୍ୟ ମିଳିଛି | ଏହି ପାଞ୍ଚଜଣ ହେଉଛନ୍ତି ଅଭିଷେକ କୁଶୱା, ବିଶାଲ ଶର୍ମା, ଅନିଲ କୁମାର ରାଜଭର, ସୋନୁ ଜୈସୱାଲ ଏବଂ ସଞ୍ଜୟ ଜୈସୱାଲ । ଉଲ୍ଲେଖଯୋଗ୍ୟ, ଆଜି ସକାଳେ ନେପାଳର କାଠମାଣ୍ଡୁର ପୋଖରା ଅଭିମୁଖେ ଯାତ୍ରା କରୁଥିବା ‘ୟେତି ଏୟାର୍‌ଲାଇନ୍‌’ର ‘ଏଟିଆର୍‌୭୨’ ବିମାନ କାସ୍‌କି ଜିଲ୍ଲା ଅନ୍ତର୍ଗତ ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ସମୁଦାୟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ରୁ’ମେମ୍ବର ଥିଲେ।