ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଆଜି ମହାରାଷ୍ଟ୍ରରେ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ମିଳିଛି। ଲୋକମାନ୍ୟ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ୍‌ ଦ୍ବାରା ପରିଚାଳିତ ଏହି ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ମୁଖ୍ୟ ଅତିଥି ଥିଲେ। ମୋଦୀ ଏବଂ ପାୱାରଙ୍କୁ ଆଜି ମଞ୍ଚରେ ଏକାଠି ଦେଖିବାକୁ ମିଳିଛି। ଉଭୟ ନେତା ମଞ୍ଚରେ ପରସ୍ପରକୁ ସ୍ବାଗତ କରିଛନ୍ତି। ତେବେ ପାୱାର ଉକ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବାପାଇଁ ତାଙ୍କୁ ତାଙ୍କ ମେଣ୍ଟ ସହଯୋଗୀଙ୍କ ପକ୍ଷରୁ ଚାପ ପଡ଼ିଥିଲା। କିନ୍ତୁ ପାୱାର କୌଣସି କଥାକୁ ଖାତିର ନକରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Advertisment

ଏହି ଘଟଣା ପାଇଁ ଶିବସେନା (ୟୁବିଟି) ନେତା ସଂଜୟ ରାଉତ ଆଜି ପାୱାରଙ୍କ ଉପରେ ବର୍ଷିଛନ୍ତି। ରାଉତ କହିଛନ୍ତି, ଏନ୍‌ସିପି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପ୍ରଧାନମନ୍ତ୍ରୀଙ୍କ ସହ ପାୱାର ମଞ୍ଚ ସେୟାର କରିବା ଲୋକମାନଙ୍କୁ ବିସ୍ମିତ କରିଦେଇଛି। ଏଭଳି କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା ଏବଂ ସେ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ରାଉତ କହିଛନ୍ତି, ସଂସଦରେ ବିରୋଧୀ ସାଂସଦମାନେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ବିରୋଧ କରିବାପାଇଁ ନିଷ୍ପତ୍ତି ନେଇଥିବାବେଳେ ଏଭଳି ସମୟରେ ଶରଦ ପାୱାର ମୋଦୀଙ୍କ ସହ ମଞ୍ଚ ସେୟାର କରିବାକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିବେନି। ଅନ୍ୟପକ୍ଷେ ଶରଦ ପାୱାର ଏହି କାର୍ଯ୍ୟକ୍ରମରେ ମୋଦୀଙ୍କୁ ଉତ୍ସାହର ସହ ସ୍ବାଗତ କରିବା ସହିତ ପରୋକ୍ଷରେ ତାଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ପାୱାର କହିଛନ୍ତି, ଶିବାଜୀ ମହାରାଜ କେବେ କାହାର ଜମି ଛଡ଼ାଇ ନାହାନ୍ତି। ଗତବର୍ଷ ଶିବସେନା ଦୁଇ ଫାଳ ହେବା ବିଷୟକୁ ଇଙ୍ଗିତ କରି ପାୱାର ଏହି ଟିପ୍ପଣୀ ଦେଇଛନ୍ତି।