ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଏବଂ ତାଙ୍କୁ ପ୍ରଶଂସା କରିଛନ୍ତି। କଂଗ୍ରେସରେ ରାଜନୈତିକ ସଙ୍କଟ ସତ୍ତ୍ବେ ଗେହଲଟ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗେହଲଟଙ୍କୁ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଗେହଲଟଜୀଙ୍କୁ ମୁଁ ସ୍ବତନ୍ତ୍ର କୃତଜ୍ଞତା ଜଣାଉଛି। ସେ ଅନେକ ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲେ ସୁଦ୍ଧା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସମୟ କାଢ଼ିଛନ୍ତି ଏବଂ ରେଳବାଇର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ମୁଁ ତାଙ୍କୁ ସ୍ବାଗତ କରୁଛି।

Advertisment

ଜୟପୁର ଜଙ୍କସନ ରେଳ ଷ୍ଟେସନରେ ଆଜି ବନ୍ଦେ ଭାରତର ଶୁଭାରମ୍ଭ ହୋଇଥିଲା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରେଳମନ୍ତ୍ରୀ ଏବଂ ରେଳ ବୋର୍ଡ ଅଧ୍ୟକ୍ଷ ଉଭୟ ରାଜସ୍ଥାନର ହୋଇଥିବାରୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗେହଲଟଜୀଙ୍କୁ ମୁଁ ଏହା ଜଣାଇବାକୁ ଚାହୁଛି ଯେ ତାଙ୍କ ୨ ହାତରେ ୨ଟି ଲଡ଼ୁ ଅଛି। ରେଳମନ୍ତ୍ରୀ ରାଜସ୍ଥାନର ଏବଂ ରେଳ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରାଜସ୍ଥାନର। ମୋଦୀ କହିଛନ୍ତି, ସ୍ବାଧୀନତା ପରେ ତତ୍କାଳ ‌ଯେଉଁ କାର୍ଯ୍ୟ ହେବାର ଥିଲା ତାହା ଏବେ ହେଉଛି। କିନ୍ତୁ ଆପଣଙ୍କର ମୋ ଉପରେ ବିଶ୍ବାସ ଥିବାରୁ ଆପଣ ମୋ ଆଗରେ ସେହି କାମ ରଖିଲେ। ଆପଣଙ୍କ ବିଶ୍ବାସ ମୋର ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।