ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ରାଜ୍ୟସଭା ଭାଷଣରେ ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତିଙ୍କୁ ପ୍ରଶଂସା କରିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ତଥା ଲେଖିକା ସୁଧା ମୂର୍ତ୍ତି ମଙ୍ଗଳବାର ରାଜ୍ୟସଭାରେ ତାଙ୍କ ପ୍ରଥମ ଭାଷଣ ଦେବା ସମୟରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ‌ଗୁରୁତ୍ବାରୋପ କରିଥିଲେ। ସୁଧା ନିଜ ପିତାଙ୍କର ଏକ ଉକ୍ତିକୁ ଗୃହରେ ରଖି ଜଣେ ମା’ଙ୍କୁ ହରାଇଲେ ପରିବାର କିଭଳି ପ୍ରଭାବିତ ହୋଇଥାଏ ତାହା ଜଣାଇଥିଲେ। ସୁଧା କହି‌ଥିଲେ ଯେତେବେଳେ ଜଣେ ମା’ ମରିଯାଉଛି ସେତେବେଳେ ହସ୍ପିଟାଲରେ ଏହାକୁ ଗୋଟିଏ ମୃତ୍ୟୁ ଭାବେ ଗଣାଯାଉଛି, କିନ୍ତୁ ଗୋଟିଏ ପରିବାର ଜଣେ ମା’ଙ୍କୁ ସବୁଦିନ ପାଇଁ ହରାଇ ଦେଉଛି। ଏହି ସମୟରେ ସୁଧା ମୂର୍ତ୍ତି ସର୍ଭାଇକାଲ୍‌ କ୍ୟାନସ୍‌ର ପାଇଁ ସରକାର ଟିକାକରଣ ଆରମ୍ଭ କରିବା ଉଚିତ ବୋଲି କହିଥିଲେ। ମୋଦୀ ଆଜି ସୁଧା ମୂର୍ତ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି।

Advertisment

ମୋଦୀ କହିଛନ୍ତି, ମହିଳାଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ବିସ୍ତୃତ ଭାବେ କହିଥିବାରୁ ମୁଁ ସୁଧା ମୂର୍ତ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଦେବାପାଇଁ ଚାହୁଛି। ଉଲ୍ଲେଖଯୋଗ୍ୟ, ସର୍ଭାଇକାଲ୍‌ କ୍ୟାନସର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ୯ରୁ ୧୪ ବର୍ଷ ବୟସ ମଧ୍ୟରେ ଝିଅମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ ବୋଲି ସୁଧା ମୂର୍ତ୍ତି ଗତକାଲି ତାଙ୍କ ଭାଷଣରେ କହିଥିଲେ। ସୁଧା ମୂର୍ତ୍ତି କହିଥିଲେ, ୯ରୁ ୧୪ ବର୍ଷର ଝିଅମାନଙ୍କୁ ସର୍ଭାଇକାଲ୍‌ କ୍ୟାନସର ଟିକା ଦିଆଯାଉଛି। ଏହାଦ୍ବାରା ସର୍ଭାଇକାଲ୍‌ କ୍ୟାନସର ନିରାକରଣ ‌ହୋଇପାରିବ। ଆମେ ଏହି ଟିକାକରଣ ପାଇଁ ପଦକ୍ଷେପ ‌ନେବା ଉଚିତ। ଏହି ଟିକା ବେଶୀ ଦାମୀ ନୁହେଁ। ଆମ ଭଳି ଲୋକଙ୍କ ପାଇଁ ଏହା ୧୪୦୦ ଟଙ୍କାରେ ମିଳୁଛି। ଯଦି ସରକାର ହସ୍ତକ୍ଷେପ କରି ବୁଝାମଣା କରିବେ ତେବେ ଏହି ଟିକା ୭୦୦ରୁ ୮୦୦ ଟଙ୍କାରେ ମିଳିବ। ଏହାଦ୍ବାରା ଭବିଷ୍ୟତରେ ଆମ ଝିଅମାନେ ଉପକୃତ ହେବେ।