ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ୍ନ ୪୦୭୮ ଦିନ କାମ କରି ଇନ୍ଦିରା ଗାନ୍ଧୀଙ୍କ (୪୦୭୭ ଦିନ) ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର (ଜୁଲାଇ ୨୫, ୨୦୨୫) ସେ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଇନ୍ଦିରା ଗାନ୍ଧୀ ୧୯୬୬ ଜାନୁଆରି ୨୪ରୁ ୧୯୭୭ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ କ୍ରମାଗତ ୪୦୭୭ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ। ୧୯୮୦ରେ ସେ ପୁନଃ ନିର୍ବାଚିତ ହୋଇ ତାଙ୍କ ମୃତ୍ୟୁ ୧୯୮୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

Advertisment

୨୦୧୪, ୨୦୧୯ ଓ ୨୦୨୪ରେ କ୍ରମାଗତ ତିନୋଟି ଲୋକସଭା ନିର୍ବାଚନ ଜିତିବାରେ ପ୍ରଧାନମନ୍ତ୍ରୀ ମୋଦୀ ନେହରୁଙ୍କ ସମକକ୍ଷ ହୋଇଥିଲେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାମରେ ଅଦ୍ୟାବଧି ସର୍ବାଧିକ ଅଖଣ୍ଡ କାର୍ଯ୍ୟକାଳର ରେକର୍ଡ ରହିଛି। ନେହରୁ ୧୯୪୭ ଅଗଷ୍ଟ ୧୫ରୁ ୧୯୬୪ ମେ ୨୭ ପର୍ଯ୍ୟନ୍ତ ଲଗାତାର ୬୧୨୬ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।  ନେହରୁଙ୍କ ରେକର୍ଡଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଏବେ  ୨୦୪୮ ଦିନ ପଛରେ ଅଛନ୍ତି। ତେବେ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ସବୁଠାରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ପ୍ରଥମ ଦୁଇ ପାଳି ସେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି। ବିଜେପିର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ତିନିଥର ନିର୍ବାଚିତ ହୋଇଥିଲେ।

୧୯୯୬ ମସିହାରେ ସେ ୧୩ ଦିନ ପାଇଁ ଏବଂ ୧୯୯୮ ମସିହାରେ ୧୩ ମାସ ପାଇଁ ସରକାରର ନେତୃତ୍ୱ ନେଇଥିବାବେଳେ ୧୯୯୯ରେ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ପୁନଃନିର୍ବାଚିତ ହୋଇଥିଲେ। ଏକ ନିର୍ବାଚିତ ସରକାରର ସର୍ବାଧିକ କାଳ ମୁଖ୍ୟ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରେକର୍ଡ ରହିଛି। ତା’ ହେଲା ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ। ୨୦୦୧ରେ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଆସୀନ ହୋଇଥିଲେ। ୨୦୧୪, ମେ ୨୬ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଏହି ପଦରେ ରହିଥିଲେ। ମୋଦୀ ହେଉଛନ୍ତି ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନେତୃତ୍ବରେ ବିଜେପି ଲଗାତାର ୬ଟି ବଡ଼ ନିର୍ବାଚନରେ ବିଜୟ ହାସଲ କରିଛି।  ଏଥିରେ ୨୦୦୨, ୨୦୦୭ ଓ ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୧୪, ୨୦୧୯ ଓ ୨୦୨୪  ଲୋକସଭା ନିର୍ବାଚନ ରହିଛି।