ହିରୋସିମା: ଜାପାନ ଗସ୍ତ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଖ୍ୟାତ ଜାପାନୀ ଲେଖକ ତଥା ହିନ୍ଦୀ ଓ ପଞ୍ଜାବୀ ଭାଷାବିତ୍ ଡ ଟୋମିଓ ମିଜୋକାମିଙ୍କୁ ସାକ୍ଷାତ୍ କରିଥିଲେ। ଜାପାନୀ ମାଟିରେ ଭାରତୀୟ ସଂସ୍କୃତିର ପ୍ରସାର କରୁଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡ ମିଜୋକାମିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ ସେ ଭାରତ-ଜାପାନ ସମ୍ପର୍କକୁ ମଜଭୁତ କରିବା ଲାଗି ଶ୍ରେୟଃର ଅଧିକାରୀ। ହିରୋସିମାଠାରେ ଜି୭ ସମ୍ମିଳନୀର ସାଇଡ୍ଲାଇନରେ ଡ ମିଜୋକାମିଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା। ମୋଦୀଙ୍କ ସହ କ’ଣ କଥାବାର୍ତ୍ତା ହେଲା ବୋଲି ପଚାରିବାରୁ ଡ ମିଜୋକାମି କହିଥିଲେ- ପରବର୍ତ୍ତୀ ବିଶ୍ବ ହିନ୍ଦୀ ସମ୍ମେଳନ ଜାପାନରେ କରାଇବାକୁ ସେ ମୋଦୀଙ୍କୁ ଅନୁରୋଧ କରିଥିଲେ।
ସେ କହିଥିଲେ, ହିନ୍ଦୀ ଭାଷା ପ୍ରତି ତାଙ୍କର ବିଶେଷ ଅନୁରାଗ ଅଛି। ଜାପାନର କୋବେ ସହରରେ ତାଙ୍କର ଜନ୍ମ, ଯେଉଁଠି ବହୁ ଭାରତୀୟ ବସବାସ କରନ୍ତି। ସେମାନଙ୍କ ଦ୍ବାରା ସେ ଅନୁପ୍ରାଣିତ। ସେମାନଙ୍କ ଭାଷା (ହିନ୍ଦୀ) ଶିଖିବାକୁ ତାଙ୍କର ଖୁବ୍ ଆଗ୍ରହ ଜାତ ହୋଇଥିଲା ବୋଲି ସେ କହିଛନ୍ତି। ଡ ମିଜୋକାମି କହିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ବି ସେ ଜଣେ ପ୍ରଶଂସକ। ସେ ସମୟରେ ନେହରୁଙ୍କର ସାରା ବିଶ୍ବ ଉପରେ ପ୍ରଭାବ ରହିଥିଲା। ଶାନ୍ତି ଓ ସ୍ଥିରତା ଚାହୁଥିବା ଯୁବଗୋଷ୍ଠୀର ସେ ପ୍ରେରଣାର ଉତ୍ସ ଥିଲେ। ୨୦୧୮ ମସିହାରେ ଓସାକା ବିଶ୍ବବିଦ୍ୟାଳୟର ପ୍ରଫେସର ଡ ଟୋମିଓ ମିଜୋକାମିଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ହିନ୍ଦୀ ଓ ଭାରତୀୟ ସଂସ୍କୃତିର ପ୍ରସାର ପାଇଁ ବିଦେଶ ମାଟିରେ ନିରବଚ୍ଛିନ୍ନ ଉଦ୍ୟମ କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ୨୦୦୧ ମସିହାରେ ଉତ୍ତରପ୍ରଦେଶ ସରକାରଙ୍କଠାରୁ ସେ ‘ହିନ୍ଦୀ ରତ୍ନ’ ପୁରସ୍କାର ମଧ୍ୟ ପାଇଥିଲେ।