ନୂଆଦିଲ୍ଲୀ: ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଏହାକୁ ଦେଶର ସଶକ୍ତ, ସମୃଦ୍ଧ ତଥା ଦ୍ରୁତ ଅଗ୍ରସର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଦେଶର ସଶକ୍ତ ରାଜ୍ୟ ହେଉ, ଏହା ଆମର ଲକ୍ଷ୍ୟ। ଏହା ପୂର୍ବ ଭାରତର ବିକାଶ ଇଞ୍ଜିନ୍‌ଭାବେ କାର୍ଯ୍ୟ କରିବ। ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଗତ ଦଶ ବର୍ଷ ହେଲା ଅନବରତ ପ୍ରୟାସ ଜାରି ରହିଛି। ଫଳରେ ରାଜ୍ୟ ପାଇଁ ଆଜି ନୂଆ ଭବିଷ୍ୟତର ସମ୍ଭାବନା ବଢ଼ିଛି। ସ୍ଥାନୀୟ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ୩ ଦିନିଆ ଓଡ଼ିଶା ପର୍ବ-୨୦୨୪ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଲେ, ଗତବର୍ଷ ତୁଳନାରେ ଏଥର କେନ୍ଦ୍ର ସରକାର ଓଡ଼ିଶାକୁ ୩୦ ପ୍ରତିଶତ ଅଧିକ ବଜେଟ୍‌ ଦେଇଛନ୍ତି। ଏବେ ରାଜ୍ୟରେ ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’କୁ ବ୍ୟାପକ କରାଯିବ। ଓଡ଼ିଶା ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହେବ। ରାଜ୍ୟରେ ନୂଆ ସରକାର ଆସିବାର ପ୍ରଥମ ୧୦୦ ଦିନରେ ୪୫ ହଜାର କୋଟିର ନିବେଶକୁ ମଞ୍ଜୁରି ମିଳିଛି। ଓଡ଼ିଶା ପାଖରେ ଭିଜନ୍‌ ଓ ରୋଡ୍‌ମ୍ୟାପ୍‌ ରହିଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନୂଆ ଭିତ୍ତିଭୂମି ଜରିଆରେ ନୂଆ ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଓଡ଼ିଆରେ ‘ଜୟ ଜଗନ୍ନାଥ’ ସହ ଭାଷଣ ଆରମ୍ଭ କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଦନ କରୁଛି। ଓଡ଼ିଶା ଆରମ୍ଭରୁ ହିଁ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ। ଏଠାରେ ବିଦ୍ବାନମାନେ ଲୋକଭାଷାରେ ସାରଳା ମହାଭାରତ, ଓଡ଼ିଆ ଭାଗବତ ଗ୍ରନ୍ଥକୁ ଘରେ ଘରେ ପହଞ୍ଚାଇବା କମ୍‌ କଥା ନୁହେଁ। ଏହା ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ବେଶ ସହାୟକ ହୋଇଛି। ମହାପ୍ରଭୁ  ଜଗନ୍ନାଥଙ୍କ ରଥଯାତ୍ରାର ମହିମା ଅନନ୍ୟ। ଏହି ଅବସରରେ ମାଣିକ ଗଉଡ଼ୁଣୀ ଉପାଖ୍ୟାନ କଥା କହିଥିଲେ ପ୍ରଧାନମନ୍ତ୍ରୀ। 
Advertisment
ସନ୍ଥକବି ଭୀମଭୋଇଙ୍କ କାଳଜୟୀ ଲେଖା ‘ମୋ ଜୀବନ ପ‌ଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ପଂକ୍ତିକୁ ପ୍ରଧାନମନ୍ତ୍ରୀ ବଖାଣି କହିଥିଲେ ଯେ ଏହା ହିଁ ହେଉଛି ଓଡ଼ିଶାର ପରମ ସଂସ୍କୃତି। ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଗର୍ବର ବିଷୟ। ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅନେକ ଅବଦାନ ରହିଛି। ପାଇକ ବିଦ୍ରୋହ ଏହାର ଏକ ବଡ଼ ଉଦାହରଣ।  ପ୍ରଧାନମନ୍ତ୍ରୀ କଟକର ଐତିହାସିକ ବାଲିଯାତ୍ରା ଓଡ଼ିଶାର ସାମୁଦ୍ରିକ ସାମର୍ଥ୍ୟର ପ୍ରତୀକ ବୋଲି କହିଥିଲେ। ମୋଦୀ କହିଥିଲେ, ଯେତେବେଳେ ପ୍ରଯୁକ୍ତି ନଥିଲା ଏଠାକାର ନାବିକ ସମୁଦ୍ରରେ ଯାତ୍ରା କରୁଥିଲେ। ବେପାରୀମାନେ ସମୁଦ୍ରରେ ଇଣ୍ଡୋନେସିଆ, ବାଲି, ସୁମାତ୍ରା, ଜାଭା  ଯାଉଥିଲେ। ବ୍ୟବସାୟ ବାଣିଜ୍ୟ ତଥା ସଂସ୍କୃତିର ବିକାଶ ହୋଇଥିଲା। ବିକଶିତ ଭାରତ ପାଇଁ ଓଡ଼ିଶାର ସାମୁଦ୍ରିକ ଶକ୍ତିର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। 
ଓଡ଼ିଶା ହେବ ପୂର୍ବ ଭାରତର ବିକାଶ ଇଞ୍ଜିନ୍‌: ଅଶ୍ବିନୀ
ଗତବର୍ଷ ତୁଳନାରେ ଅଧିକ ୩୦% ବଜେଟ୍‌ ଦିଆଯାଇଛି
ଭୀମଭୋଇଙ୍କ ବାଣୀ ହିଁ ଆମର ପରମ ସଂସ୍କୃତି: ଧର୍ମେନ୍ଦ୍ର
ବାଲିଯାତ୍ରା ହେଉଛି ଓଡ଼ିଶାର ସାମୁଦ୍ରିକ ସାମର୍ଥ୍ୟର ପ୍ରତୀକ
ସମାରୋହକୁ ସମ୍ବୋଧନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ନିଜକୁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ମଣନ୍ତି। ଗରିବ କଲ୍ୟାଣ ତଥା ଓଡ଼ିଶାର ନବଜାଗରଣ ‌କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଚାର ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପରିକଳ୍ପନାକୁ ସାକାର କରାଯିବ। ଏହି ଅବସରରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍‌ଟ୍ରୋନିକ୍‌ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାର ଐତିହାସିକ ମାଟି ଓ ଭାଷାର ବିଶେଷତ୍ବ୍ବ ସଂପର୍କରେ ଉଲ୍ଲେଖ କରିଥିଲେ ଓ ଓଡ଼ିଶାକୁ ରେଳ ମନ୍ତ୍ରାଳୟ ବାର୍ଷିକ ୧୦ ହଜାର କୋଟି ଟଙ୍କା ଦେଉଥିବା କଥା କହିଥିଲେ। ସେହିଭଳି ଟେଲିକମ୍ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ସଂପର୍କରେ ମଧ୍ୟ ବିଶଦ ତଥ୍ୟ ରଖିଥିଲେ।   ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଷ୍ଟଲ୍‌ ପରିଦର୍ଶନ କରିବା ସହିତ ବଲାଙ୍ଗୀର ରବି କଫି ଓ ଟି ଷ୍ଟଲ୍‌ର ଚା ପିଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଓଡ଼ିଶାର ଲୋକ କଳାକାରମାନେ ଓଡ଼ିଶୀ, ଗୋଟିପୁଅ, ଲୋକନୃତ୍ୟ ଓ ରଙ୍ଗବତୀ ନୃତ୍ୟ ପରିବେଷଣ କରିଥିଲେ। ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶାର ବୁଣାକାରମାନଙ୍କୁ ସମର୍ପିତ ପଦ୍ମଶ୍ରୀ ଗୁରୁ ଇଲିଆନା ସିତାରିଷ୍ଟ ଏବଂ ତାଙ୍କ ଗ୍ରୁପ୍‌ ଦ୍ବାରା ପ୍ରସ୍ତୁତ ‘ସୂତ୍ର ଅନୁରାଗ’ ଦିଲ୍ଲୀ ଦର୍ଶକଙ୍କୁ ବିମୋହିତ କରିଥିଲା। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବୟମ୍‌ ପ୍ରକ‌ାଶ ପାଢ଼ୀ ଓ ବିଷ୍ଣୁମୋହନ କବିଙ୍କ ପରିବେଷିତ ସ୍ବରାଞ୍ଜଳି ଓଡ଼ିଶାର ସଙ୍ଗୀତ ଐତିହ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷ ଦିବସରେ ସାହିତ୍ୟ ଚର୍ଚ୍ଚା ଅନ୍ତର୍ଗତ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଗାଥା ସଂପର୍କିତ ଆଲୋଚନାର ଆୟୋଜନ କରାଯାଇଥିଲା। ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ବିତୀୟ ସଂସ୍କରଣରେ ରାଜ୍ୟର ପ୍ରତିଷ୍ଠିତ ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସବିତ୍‌ ଯୋଗଦେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।