ଗାନ୍ଧୀଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ
ମହାତ୍ମା ଗାନ୍ଧୀଙ୍କ ୧୪୮ତମ ଜୟନ୍ତୀ
ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୪୮ତମ ଜନ୍ମଦିନ ଉପଲକ୍ଷେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟଠାରେ ଶ୍ରଦ୍ଧାସୁମନ ଲାଗି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି: ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ଶତ ଶତ ପ୍ରଣାମ! ଗାନ୍ଧୀ ଜୟନ୍ତୀରେ ମୁଁ ତାଙ୍କଠାରେ ମଥାନତ କରୁଛି। ତାଙ୍କର ମହତ ଚିନ୍ତାଧାର ବିଶ୍ୱର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ଲାଲ୍ କୃଷ୍ଣ ଆଡ଼ଓ୍ଵାଣି ମଧ୍ୟ ରାଜଘାଟଠାରେ ସେମାନଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
୨୦୧୪ ମସିହାରେ ଏହି ଦିନ ଏନ୍ଡିଏ ସରକାର ଜନଗଣଙ୍କୁ ପରିଚ୍ଛନ୍ନତାର ସୁଫଳ ସଂକ୍ରାନ୍ତରେ ସଚେତନ କରିବା ପୂର୍ବକ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିଲା। ସୋମବାର ଦିନ ଏହି ଅଭିଯାନ ତିନି ବର୍ଷ ପୂରଣ କରିଛି।ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦେଶବ୍ୟାପୀ ସ୍କୁଲ୍ର ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବେ।
ମହାତ୍ମା ଗାନ୍ଧୀ ନାମରେ ପରିଚିତ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଅକ୍ଟୋବର ୨ ତାରିଖ, ୧୮୬୯ ମସିହାରେ ଜନ୍ମ ଗ୍ରହଣ କରି ଜାନୁଆରି ୩୦ ତାରିଖ ୧୯୪୮ ମସିହାରେ ଇହଧାମ ତ୍ୟାଗ କରିଥିଲେ।
ଭାରତରେ ସେ ଥିଲେ ଜଣେ ରାଜନୈତିକ ଏବଂ ଅଧ୍ୟାତ୍ମିକ ନେତା। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ‘ସତ୍ୟାଗ୍ରହ’ ବୋଲି କୁହାଯାଉଥିବା ଅହିଂସା ଆନ୍ଦୋଳନର ଅଭିନବ କୌଶଳ ପ୍ରଣେତା ହେଉଛନ୍ତି ଗାନ୍ଧୀ।
ଦକ୍ଷିଣ ଆଫ୍ରିକାରେ ନିଜର ଅହିଂସା ଆଇନ୍ ଅମାନ୍ୟ ଆନ୍ଦୋଳନ ନିମନ୍ତେ ସେ ସୁପରିଚିତ। ସେଠାରୁ ଫେରିବା ପରେ ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେଥିରୁ ୧୯୨୨ ମସିହାରେ ଭାରତରେ ଅସହଯୋଗ ଆନ୍ଦୋଳନ ଏବଂ ମାର୍ଚ ୧୨ ତାରିଖ ୧୯୩୦ରେ ଲବଣ ସତ୍ୟାଗ୍ରହ ବା ଦାଣ୍ଡି ଯାତ୍ରାର ସୂତ୍ରପାତ ହୋଇଥିଲା। ଭାରତ ଛାଡ଼ ଆନ୍ଦୋଳନ ମଧ୍ୟ ତାଙ୍କର ଅନ୍ୟତମ ଆନ୍ଦୋଳନ।
ମହାତ୍ମା ଗାନ୍ଧୀଙ୍କ ଉଦ୍ୟମ ଯୋଗୁଁ ଶେଷରେ ଭାରତ ଅଗଷ୍ଟ ୧୫, ୧୯୪୭ ମସିହାରେ ସ୍ୱାଧୀନତା ହାସଲ କରିଥିଲା। ଜାନୁଆରି ୩୦ ତାରିଖ ୧୯୪୮ ମସିହାରେ ତାଙ୍କୁ ହତ୍ୟା କରାଯିବା ପରେ ଦେଶବାସୀ ଶୋକାଭିଭୂତ ହୋଇପଡ଼ିଥିଲେ।
ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ଦିନ ଜାତିସଂଘର ଆନ୍ତର୍ଜାତିକ ଅହିଂସା ଦିବସ ପାଳନ କରାଯାଏ।
ଆଜି ଭାରତ ମଧ୍ୟ ନିଜ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରୁଛି। ୧୯୨୦ ଦଶକରେ ଶାସ୍ତ୍ରୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ। ଜାନୁଆରି ୧୧ ତାରିଖ ୧୯୬୬ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।
ତାସ୍କେଣ୍ଟ୍ ଘୋଷଣାନାମାରେ ସ୍ୱାକ୍ଷର କରିବାର ଦିନକ ପରେ ତାସ୍କେଣ୍ଟ୍ଠାରେ ରାତି ୨ଟାବେଳେ ଶାସ୍ତ୍ରୀ ହୃଦ୍ଘାତରେ ପ୍ରାଣ ହରାଇଥିଲେ ବୋଲି କୁହାଯାଏ। ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ହୋଇଥିବା କଥା ଆଜିଯାଏ ଲୋକେ କୁହନ୍ତି। ଦରିଆପାରିରେ ମୃତ୍ୟୁ ଲଭିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଥିଲେ ଶାସ୍ତ୍ରୀ।