ଜିଏସ୍‌ଟି ମୋଦିଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଗତବର୍ଷ ଜୁଲାଇ ପହିଲାରେ ଦେଶରେ ଜିଏସଟି (ସାମଗ୍ରୀ ଓ ସେବା କର) ଲାଗୁ ହେବାପରେ ଏହାକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା ଏବଂ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ। ଆଜି ମାଲେସିଆରେ ଜିଏସ୍‌ଟି ଲାଗୁ କରିଥିବା ପ୍ରଧାନମନ୍ତ୍ରୀ ନଜୀବ୍‌ ରଜାକ୍‌ଙ୍କ ନ୍ୟାସନାଲ ଫ୍ରଣ୍ଟ ସରକାର ନିର୍ବାଚନରେ ପରାଜିତ ହେବା ପରେ ୨୦୧୯ରେ ବିଜେପିର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ଯେଉଁଭଳି ଭାବରେ ଅତ୍ୟନ୍ତ ସୁଦୃଢ଼ ନ୍ୟାସନାଲ ଫ୍ରଣ୍ଟ ସରକାରକୁ ଜିଏସ୍‌ଟି ପ୍ରସଙ୍ଗ ଗାଦିଚ୍ୟୁତ କରିପାରିଲା, ଠିକ୍‌ ସେହିଭଳି ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମଧ୍ୟ ଜିଏସ୍‌୍‌ଟି ପାଇଁ ବିପର୍ଯ୍ୟୟର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। କେବଳ ମାଲେସିଆ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଦେଶରେ ଜିଏସଟି ବ୍ୟବସ୍ଥା ପାଇଁ ସରକାର ପତନ ହୋଇଥିବା ନଜିର ରହିଛି। ୧୯୯୩ରେ କାନାଡାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କିମ୍‌ କେମ୍ପେଓ୍ଵଲ୍‌ଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ ପାର୍ଟି ମଧ୍ୟ ଜିଏସ୍‌ଟି ବ୍ୟବସ୍ଥା ଲାଗୁ କରି ଗାଦିଚ୍ୟୁତ ହୋଇଥିଲା। ଅଷ୍ଟ୍ରେଲିଆରେ ୧୯୯୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ହାଓ୍ଵର୍ଡଙ୍କ ସରକାର ଜିଏସଟି ବ୍ୟବସ୍ଥା ଲାଗୁ କରିବା ପରେ ଜନସାଧାରଣ ରାସ୍ତାକୁ ଓହ୍ଲାଇଥିଲେ। ତେବେ ନିର୍ବାଚନର ଅଳ୍ପ ସମୟ ପୂର୍ବରୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବାରୁ ସରକାର ବର୍ତ୍ତି ଯାଇଥିଲେ। ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଜିଏସଟି ବ୍ୟବସ୍ଥାକୁ ଜଟିଳ ବୋଲି ମନ୍ତବ୍ୟ ଦେବା ସହ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଉଠାଇ ସାରିଛନ୍ତି। ଜିଏସ୍‌ଟି ବ୍ୟବସ୍ଥା ଜଟିଳ ଥିବା ତଥା ଠିକ ଭାବରେ ଲାଗୁ କରି ପାରନଥିବାରୁ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ବିଜେପି ସରକାରଙ୍କୁ ବିଭିନ୍ନ ସମୟରେ କଡ଼ା ସମାଲୋଚନା କରୁଛନ୍ତି। ପ୍ରଥମେ ବିମୁଦ୍ରାକରଣ ଓ ପରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରେ ଦେଶର ଅର୍ଥନୈତିକ ଉନ୍ନତିରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଯେଉଁଥିପାଇଁ ଦେଶର ଜିଡିପି ମଧ୍ୟ ନିମ୍ନକୁ ଖସିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଏସଟି ବ୍ୟବସ୍ଥା ଲାଗୁ କରାଯିବା ପରେ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ବର୍ତ୍ତମାନ ଜିଏସଟି ରିଟର୍ଣ୍ଣ ଦାଖଲ ବ୍ୟବସ୍ଥାକୁ ସହଜ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜିଏସଟି କାଉନସିଲ ଯୋଜନା ପ୍ରସ୍ତୁତ କରୁଛନ୍ତି, ତଥାପି ଏଯାବତ ଅର୍ଦ୍ଧାଧିକ ବ୍ୟବସାୟୀ ଜିଏସଟିର ବିଭିନ୍ନ ଟିକସ ସ୍ତର ଓ କିଭଳି ଏହା ଦାଖଲ କରାଯିବ ସେନେଇ ଅଜ୍ଞ ଅଛନ୍ତି। ଭାରତ ଭଳି ଏକ ବିକାଶଶୀଳ ଦେଶରେ ସମସ୍ତ ବ୍ୟବସାୟୀ ଏକାବେଳକେ କମ୍ପ୍ୟୁଟରୀକୃତ ବିଲ୍‌ ବା ରସିଦର ବ୍ୟବହାର କରିବା ଏକ ପ୍ରକାର ଅସମ୍ଭବ ବ୍ୟପାର ହୋଇପଡ଼ିଛି।

ସମ୍ବନ୍ଧିତ ଖବର