ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସିବିଆଇ ଦ୍ବାରା ଗିରଫ ହେବାର କେଇଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ତୁଳନା କରିଛନ୍ତି।
କେଜ୍ରିୱାଲ କହିଛନ୍ତି- ଏକଦା ଇନ୍ଦିରା ଗାନ୍ଧି ସୀମା ଟପିଥିଲେ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ସୀମା ଟପୁଛନ୍ତି। ଇନ୍ଦିରା ଯେମିତି ତାଙ୍କ କୃତକର୍ମର ଫଳ ପାଇଥିଲେ, ମୋଦୀ ସେମିତି ପାଇବେ ଏବଂ ପ୍ରକୃତି ତା’ କାମ କରିବ।
ଆଗାମୀ ଦିନରେ ଦଳର ରଣନୀତି କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଥିଲେ ଯେ, ଆମ୍ ଆଦ୍ମୀ ପାର୍ଟି (ଆପ୍) ଘରକୁ ଘର ଅଭିଯାନ ଆରମ୍ଭ କରିବ। ଆପ୍ ପ୍ରତି ଘରକୁ ଯିବ। ପ୍ରତି ଲୋକଙ୍କ ସହ କଥା ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ପରି ମୋଦୀ କେମିତି ସୀମା ଟପିଛନ୍ତି ତାହା ଲୋକଙ୍କୁ ବୁଝାଇବ। ଲୋକମାନେ ଉତ୍ତର ଦେବେ। ସେମାନେ ସବୁ ଦେଖୁଛନ୍ତି ଓ ରାଗିକରି ଅଛନ୍ତି। ଯେଉଁ ସିସୋଦିଆଙ୍କୁ ସିବିଆଇ ବାନ୍ଧିନେଇଛି ଚଢ଼ଉ ବେଳେ ତାଙ୍କ ଘରୁ ବା ତାଙ୍କ ସମ୍ପର୍କୀୟଙ୍କ ଘରୁ ଟଙ୍କାଟିଏ ବି ମିଳି ନ ଥିଲା। ସେମାନେ ଦୁର୍ନୀତି ନୁହେଁ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି କରୁଥିବା ଭଲ କାମ ବନ୍ଦ କରିବାକୁ ଚାହୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।