ଚଳିତ ମାସରେ ହୋଇପାରେ ମୋଦୀ-ପୁଟିନ ଭେଟ

ମସ୍କୋ : ଚଳିତ ମାସ ସେପ୍ଟେମ୍ବର ୧୫-୧୬ ତାରିଖରେ ଉଜବେକିସ୍ତାନର ସମରକନ୍ଦ ଠାରେ ହେବାକୁ ଥିବା  ସାଂଘାଇ ସହଯୋଗ ସଂଗଠନ (ଏସସିଓ)  ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏ ସପର୍କରେ ରୁଷର ବିଦେଶମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ।

ୟୁକ୍ରେନ ଯୁଦ୍ଧ ପରେ ଏହା ହେବ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ । ପୁଟିନ ଏବେ ସମଗ୍ର ବିଶ୍ବରେ ଏକଘରିକିଆ ହୋଇଯାଇଥିବାବେଳେ ମୋଦୀଙ୍କ ସହ ସାକ୍ଷାତର ଗୁରୁତ୍ବ ରହିଛି । ଏହା ଭାରତ ଓ ରୁଷର ମିତ୍ରତାକୁ ପୁଣି ପ୍ରମାଣିତ କରିବ । ତେବେ ଆମେରିକା ଏହାକୁ ନେଇ କିପରି ପ୍ରତିକ୍ରିୟା ପ୍ରକାଶ କରିବ ତାହା ଉପରେ ସମସ୍ତଙ୍କ ନଜର ରହିବ।

ଏବେ ରୁଷରେ ଚାଲିଥିବା ସମରାଭ୍ୟାସ ଭୋସ୍ତକରେ ବି ଭାରତ ଅଂଶଗ୍ରହଣ କରୁଛି । ଏହି ସମରାଭ୍ୟାସରେ  ଭାରତ, ଚୀନ, ଆର୍ମେନିଆ, ଆଜରବୈଜାନ, ବେଲାରୁଷ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକିସ୍ତାନ ଓ ମଙ୍ଗୋଲିଆ ସେନା ଯୋଗ ଦେଇଛନ୍ତି ।

ଭାରତ ଏହି ସମରାଭ୍ୟାସରେ ଯୋଗ ଦେଉଥିବାରୁ ତାହାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି । ଭାରତର ଅଂଶଗ୍ରହଣକୁ ନେଇ ଆମେରିକା ଖୋଲାଖୋଲି ଅସନ୍ତୋଷ ଜଣାଇ ସାରିଛି । ତେବେ ଏ ନେଇ ଭାରତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

 

 

ସମ୍ବନ୍ଧିତ ଖବର