ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସମରକନ୍ଦରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀ ଅବସରରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଥିଲା। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ପରେ ଏହା ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ବୈଠକରେ ମୋଦୀ ପୁଟିନଙ୍କୁ କହିଥିଲେ ଯେ ବର୍ତ୍ତମାନର ସମୟ ଯୁଦ୍ଧର ସମୟ ନୁହେଁ। ବିଶ୍ବ ସାମ୍ନା କରୁଥିବା ବିଭିନ୍ନ ସଙ୍କଟର ସମାଧାନ ପାଇଁ ଆମକୁ ଅଧିକ ଗୁରୁତ୍ବ ଦେବାକୁ ହେବ। ଭାରତ ଏବଂ ରୁଷ୍‌ ମଧ୍ୟରେ ସାମରିକ ସହଯୋଗ ଏବଂ ବାଣିଜ୍ୟିକ କାରବାର ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଗକୁ ଅନେକ ଦଶନ୍ଧି ଧରି ଏହା ଜାରି ରହିବ ବୋଲି ମୋଦୀ କହିଛନ୍ତି। ଆଜି ବିଶ୍ବ ସାମ୍ନା କରୁଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟର ମୁକାବିଲା ଦୁଇ ଦେଶ ଏକାଠି କାମ କରିବାକୁ ମୋଦୀ କହିଥିଲେ। ମୋଦୀ ମଧ୍ୟ ୟୁକ୍ରେନ୍‌ରୁ ଭାରତୀୟ ଛାତ୍ରଙ୍କୁ ଖାଲି କରିବାରେ ରୁଷ୍‌ ଏବଂ ୟୁକ୍ରେନ୍‌ କରିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

Advertisment

ଏସ୍‌ସିଓ ସମ୍ମିଳନୀ ୨୦୨୨

ଅନ୍ୟପକ୍ଷେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଭାରତର ଚିନ୍ତା ନେଇ ସେ ଭଲଭାବେ ଅବଗତ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସେ ଆଗାମୀ ସ୍ଥିତି ନେଇ ଅବଗତ କରାଇବେ। ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପୁଟିନ କହିଛନ୍ତି, ‘ମୋର ପ୍ରିୟ ବନ୍ଧୁ, ଆସନ୍ତାକାଲି ଆପଣ ଆପଣଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଆପଣଙ୍କ ନେତୃତ୍ବରେ ଭାରତର ପ୍ରଗତି ଆମେ ଚାହୁଛୁ। ୟୁକ୍ରେନ ସଂକ୍ରାନ୍ତରେ ଆପଣଙ୍କ ଆଭିମୁଖ୍ୟ ଏବଂ ଏବଂ ଚିନ୍ତା ସଂକ୍ରାନ୍ତରେ ମୁଁ ଅବଗତ ଅଛି। ଆମେ ଏସବୁକୁ ଯଥାସମ୍ଭବ ଶୀଘ୍ର ଶେଷ କରିବାକୁ ଚାହୁ। ଯୁଦ୍ଧକୁ ନେଇ ଉପୁଜିଥିବା ସ୍ଥିତି ଏବଂ ପରବର୍ତ୍ତୀ ମୁକାବିଲା ପଦକ୍ଷେପ ସଂକ୍ରାନ୍ତରେ ଆମେ ଆପଣଙ୍କୁ ଅବଗତ କରାଇବୁ।’ ପୁଟିନ ମଧ୍ୟ ୨୦୨୩ରେ ଭାରତର ଏସ୍‌ସିଓ ଅଧ୍ୟକ୍ଷତା ପାଇଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।