ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି।   କଥାବାର୍ତ୍ତା ସମୟରେ ଉଭୟ ନେତା ୟୁକ୍ରେନରେ ଚାଲିଥିବା ବିବାଦ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବଂ ଦ୍ବିପାକ୍ଷିକ ସହଯୋଗର ପ୍ରଗତି ସମୀକ୍ଷା କରିଛନ୍ତି।  ପ୍ରଧାନମନ୍ତ୍ରୀ  ମୋଦୀ ଆଜି ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ‌ଶେଷ ଆଡ଼କୁ ୨୩ତମ ବା‌ର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀ ଅବସରରେ ପୁଟିନଙ୍କୁ ଭାରତ ଗସ୍ତ ପାଇଁ ମୋଦୀ ନିମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଶକ୍ତି ସହଯୋଗ‌ କ୍ଷେତ୍ରକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ଦୁଇ ରାଷ୍ଟ୍ର ନେତାଙ୍କ ଟେଲିଫୋନ୍‌ କଥାବାର୍ତ୍ତା ନେଇ ଏକ ସରକାରୀ ବିବୃତି ଜାରି ‌ହୋଇଛି। ବିବୃତି ଅନୁଯାୟୀ ୟୁକ୍ରେନ ସଙ୍କଟ ସଂକ୍ରାନ୍ତରେ ପୁଟିନ ମୋଦୀଙ୍କୁ ଅବଗତ କରିଛନ୍ତି ଏବଂ ମୋଦୀ ପୁଟିନଙ୍କ ବିସ୍ତୃତ ଆକଳନ ନେଇ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି।  ଦୁଇ ନେତା ଭାରତ-ରୁ‌ଷ୍‌ ସମ୍ପର୍କର ସମୀକ୍ଷା କରିଛନ୍ତି ଏବଂ   ସ୍ବତନ୍ତ୍ର ସହଭାଗିତାକୁ ଆହୁରି ଦୃଢ଼ୀଭୂତ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି।  ସେହିପରି ଦୁଇ ନେତା ଦ୍ବିପାକ୍ଷିକ ଏଜେଣ୍ଡାର ପ୍ରଗତି ସମୀକ୍ଷା କରିଛନ୍ତି। 
ଉଲ୍ଲେଖଯୋଗ୍ୟ,  ପୁଟିନ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରଦୂତ ଷ୍ଟିଫ୍‌ ୱିଟକଫ୍‌ଙ୍କ ସହ ବୈଠକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବଂ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଶାନ୍ତି କଥାବା‌ର୍ତ୍ତା ପାଇଁ ଆମେରିକାର ପ୍ରସ୍ତାବ ସଂକ୍ରାନ୍ତରେ ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।  ପୁଟିନ ମଧ୍ୟ ଟ୍ରମ୍ପଙ୍କ ସହ ବୈଠକ ପାଇଁ ତାଙ୍କ ଚୁକ୍ତି ସଂକ୍ରାନ୍ତରେ ଲୁକାଶେଙ୍କୋଙ୍କୁ ଜଣାଇଛନ୍ତି। ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ପୁଟିନ ୱିଟକଫ୍‌ଙ୍କ ସହ କ’ଣ କଥା ହୋଇଛନ୍ତି ସେ ସଂକ୍ରାନ୍ତରେ  ସେ କାଜାକସ୍ତାନ ଓଉଜବେକିସ୍ତାନ ନେତାମାନଙ୍କୁ ମଧ୍ୟ ଅବଗତ କରିଛନ୍ତି।  ସେହିପରି ୟୁକ୍ରେନ ବିବାଦ ସଂକ୍ରାନ୍ତ‌ରେ ସଦ୍ୟ ଆମେରିକା-ରୁଷ୍‌ କଥାବାର୍ତ୍ତା ନେଇ ପୁଟିନ ତାଙ୍କ ଚୀନ୍‌ ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ ଜଣାଇଛନ୍ତି।

Advertisment