ମୋଦି-ପୁଟିନ୍‌-ଟ୍ରମ୍ପ ଶ୍ରେଷ୍ଠ ବ୍ୟକ୍ତି: ଟାଇମ୍‌ ପତ୍ରିକାର ପ୍ରଭାବଶାଳୀ ତାଲିକା

ନୂଆଦିଲ୍ଲୀ: ପ୍ରଖ୍ୟାତ ଖବର ପତ୍ରିକା ‘ଟାଇମ୍‌’ ପକ୍ଷରୁ ୨୦୧୭ ମସିହା ପାଇଁ ମନୋନୀତ ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ୍‌ ପୁଣି ସ୍ଥାନ ପାଇଛନ୍ତି। ସମକାଳୀନ ବିଶ୍ୱରେ ନିଜର ଉଲ୍ଲେଖନୀୟ ପ୍ରଭାବ ଜାହିର କରୁଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ‘ଟାଇମ୍‌’ ଦ୍ୱାରା ଚୟନ କରାଯାଇଥିବା ଏହି ଶହେ ଜଣିଆ ତାଲିକାରେ ଅନ୍ୟ ରାଜନେତାଙ୍କ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ଜାଇ ଜିନ୍‌ପିଙ୍ଗ୍‌, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍‌ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କ ନାମ ମଧ୍ୟ ରହିଛି। ଅପରପକ୍ଷେ, ଆସନ୍ତା ମାସରେ ପ୍ରକାଶିତ ହେବାକୁ ଥିବା ଟାଇମ୍‌ ପତ୍ରିକାର ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରମୁଖ ଅଣରାଜନେତାଙ୍କ ମଧ୍ୟରେ ମାଇକ୍ରୋସଫ୍ଟ କମ୍ପାନିର ଭାରତ ଜନ୍ମିତ ସିଇଓ ସତ୍ୟ ନାଦେଲା, ଉବେର ସିଇଓ ଦାରା ଖୋସ୍ରୋସାହି, ଆପଲ୍‌ କମ୍ପାନି ସିଇଓ ଟିମ୍‌ କୁକ୍‌ ଏବଂ ଟେସ୍‌ଲା ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କଙ୍କ ନାମ ମଧ୍ୟ ରହିଛି।

ସୂଚନା ଥାଉ କି, ଦୀର୍ଘ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ସ୍ୱନାମଧନ୍ୟ ପତ୍ରିକାର ବହୁ ପ୍ରତୀକ୍ଷିତ ବାର୍ଷିକ ତାଲିକା ‘ଟାଇମ୍‌-୧୦୦’ରେ ପୃଥିବୀର ସବଠୁ ଉଲ୍ଲେଖନୀୟ କଳାକାର, ରାଜନେତା, ବୈଜ୍ଞାନିକ, ସାମାଜିକ କର୍ମୀ ଏବଂ ଉଦ୍ୟୋଗପତିଙ୍କ ନାମ ସ୍ଥାନ ପାଇ ଆସୁଛି। ଯଦିଓ ଏହି ତାଲିକାର ଚୂଡ଼ାନ୍ତ ରୂପରେଖ ଏହାର ସମ୍ପାଦକମଣ୍ଡଳୀ ନିର୍ଣ୍ଣୟ କରିଥାନ୍ତି, ତେବେ ଏଥିପାଇଁ ଏହାର ପାଠକମାନଙ୍କୁ ନିଜ ନିଜ ପସନ୍ଦର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅନ୍‌ଲାଇନ୍‌ରେ ମନୋନୟନ କରିବା ଲାଗି ଆମନ୍ତ୍ରଣ କରାଯାଇଥାଏ। ଚଳିତବର୍ଷର ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ମୋଦିଙ୍କ ନାମ ରହିଛି ଯିଏ କି ବିଗତ ଦିନମାନଙ୍କରେ ମଧ୍ୟ ନିୟମିତ ଭାବେ ପାଠକଙ୍କ ଦ୍ୱାରା ସମ୍ଭାବ୍ୟ ତାଲିକାର ସବୁଠୁ ପସନ୍ଦଯୋଗ୍ୟ ହୋଇ ଆସିଛନ୍ତି। ଚଳିତ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା, ପାକ୍‌-ଆମେରିକୀୟ ଅଭିନେତା କୁମୈଲ ନାଞ୍ଜିଆନି, ଟ୍ରମ୍ପଙ୍କ ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜାରେଦ୍‌ କୁସନର, ଫେସ୍‌ବୁକ୍‌ ସିଇଓ ମାର୍କ ଜୁକେରବର୍ଗ, ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌, ବ୍ରିଟେନ୍‌ ଯୁବରାଜ ଓ୍ଵିଲିଅମ୍‌ଙ୍କ ନାମ ମଧ୍ୟ ରହିଛି। ସେହିପରି ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌, ସାଉଦି ଆରବ ସମ୍ରାଟ ମହମ୍ମଦ ବିନ୍‌ ସଲମାନ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ଏବଂ ଏଫ୍‌ବିଆଇର ପୂର୍ବ ନିର୍ଦ୍ଦେଶକ ଜେମ୍‌ସ କୋମି ମଧ୍ୟ ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର