ନୂଆଦିଲ୍ଲୀ: ବଢିଚାଲିଛି ଆମେରିକାର ଦାଦାଗିରି । ଟ୍ରମ୍ପଙ୍କ ଟାରିଫ ଟାର୍ଗେଟ୍ ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଷ୍ଟ୍ର । ଆମେରିକାର ଶୁଳ୍କ ଚାପରେ ଅନେକ ଅଣନିଶ୍ବାସୀ ହୋଇ ସ୍ବର ଉଠାଉଥିବା ବେଳେ ଏବେ ଚୀନର ଛାତି ଉପରେ ଟ୍ରମ୍ପଙ୍କ ବିରୋଧରେ ଏକାଠି ହୋଇଛନ୍ତି ତ୍ରିଶକ୍ତି । ଭାରତ-ଚୀନ-ରୁଷ । ଏହି ରାଷ୍ଟ୍ରର ଶୀର୍ଷ ନେତୃତ୍ବ ଟ୍ରମ୍ପଙ୍କୁ ଚେକ୍ ଦେବାକୁ ବଡ ଯୋଜନା ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି । କାରଣ ଆଜି ଚୀନ ରାଷ୍ଟ୍ରପତିଙ୍କ ସହ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ଦୁଇ ଦେଶର ସମ୍ପର୍କ ଆଗକୁ କିପରି ସୁଦୃଢ ହେବ ସେନେଇ ବି ଆଲୋଚନା ହୋଇଛି । ତାସହ ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ଚୀନ ସାହାଯ୍ଯ କରୁ ବୋଲି ବି ମୋଦୀ ଜିନପିଙ୍ଗଙ୍କୁ ନିବେଦନ କରିଛନ୍ତି ।
ଚୀନର ତିନଜିଆନରେ ଚାଲିଥିବା ଏସସିଓ ସମ୍ମିଳନୀ ଟ୍ରମ୍ପ ବିରୋଧୀଙ୍କ ପାଇଁ ଏକ ବଡ଼ ମଞ୍ଚ ବୋଲି କୁହାଯାଉଥିବା ବେଳେ ଆଜି ମୋଦୀ ଜିନପିଙ୍ଗଙ୍କ ସହ ଆଲୋଚନା କରିଥିବା ବେଳେ ଆସନ୍ତାକାଲି ପୁଟିନଙ୍କ ସହ ସାକ୍ଷାତକାରର କାର୍ଯ୍ଯକ୍ରମ ରହିଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ତେଣୁ ଆସନ୍ତାକାଲି ମୋଦୀ-ପୁଟିନ ସାକ୍ଷାତର ହେବାର ଯୋଜନା ରହିଛି। ସେପଟେ ଏସସିଓ ସମ୍ମିଳନୀ ଆଳରେ ତ୍ରିଶକ୍ତିଙ୍କ ମେଳି ପରେ ଟ୍ରମ୍ପ ପ୍ରଶାସନର ଟେନସନ୍ ବଢ଼ିଯାଇଥିବା ସୂଚନା ମିଳିଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଛାଟ ବିଶ୍ବବଜାରକୁ ଅସ୍ତବ୍ୟସ୍ତ କରିଛି । ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପରେ ସହଯୋଗୀ ରାଷ୍ଟ୍ର ମାନେ ଆମେରିକାର ହାତ ଛାଡ଼ିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଚୀନର ତିନଜିଆନ ସହରରେ ଅନୁଷ୍ଠିତ ୨୫ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶ୍ୱର ଶୀର୍ଷ ନେତୃତ୍ବ। ଆମେରିକାର ଦାଦାଗିରି ଭିତରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ଏସିଆ ମହାଦେଶର ତିନି ମହାଶକ୍ତି- ରୁଷ, ଚୀନ ଏବଂ ଭାରତ ସମେତ ଅନ୍ୟ ରାଷ୍ଟ୍ର।
ଗୋଟେ ପଟେ ବନ୍ଧୁ କହିବା ଏବଂ ଅନ୍ୟପଟେ ଟାରିଫ୍ ଲଗାଇବା ଭଳି ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିଛି । ଭାରତ ସହ ସ୍ବର ମିଶାଇ ସମର୍ଥନରେ ବାହାରିଛନ୍ତି ଚୀନ ଓ ରୁଷ ରାଷ୍ଟ୍ରମୁଖ୍ୟ। ଏସସିଓ ମଞ୍ଚରୁ ଏହି ୩ ରାଷ୍ଟ୍ର ଟାରିଫ ବିରୋଧରେ ବଡ ରଣନୀତି ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ବେଶ ଗୁରୁତ୍ବ ବହନ କରିଛି । ଦୁଇ ନେତା ପ୍ରାୟ ୧ ଘଣ୍ଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ଏଥିରେ ବହୁ ପ୍ରସଙ୍ଗ ସ୍ଥାନ ପାଇଛି । ୨୮୦ କୋଟି ଲୋକଙ୍କ ପାଇଁ ଡ୍ରାଗନ୍ ଏବଂ ହାତୀ ଏକାଠି ହେବାକୁ ଜିନପିଙ୍ଗ୍ ଆହ୍ବାନ ଦେଇଥିବା ବେଳେ ବିଶ୍ବାସର ସହ ଆଗକୁ ବଢ଼ିବାକୁ ମୋଦୀ ସହମତି ପ୍ରକାଶ କରିଛନ୍ତି । ଯାହା ଟ୍ରମ୍ପଙ୍କ ପାଇଁ ବଡ ଚାଲେଞ୍ଜ ହୋଇପାରେ ।