ଚୀନ୍‌ ସୋସିଆଲ ମିଡିଆ ‘ୱିବୋ’ ଛାଡ଼ିଲେ ମୋଦୀ

ନୂଆଦିଲ୍ଲୀ : ୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ର ମାଇକ୍ରୋବ୍ଲଗିଂ ସାଇଟ୍‌ ୱିବୋ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ-ଚୀନ୍‌ ସୀମା ବିବାଦ ଲାଗି ରହିଥିବାବେଳେ ମୋଦୀ ଚୀନ୍‌ ସୋସିଆଲ ମିଡିଆ ଆପ୍‌ ‘ୱିବୋ’ରୁ ତାଙ୍କ ଆକାଉଣ୍ଟ୍‌ ହଟାଇ ଦେଇଛନ୍ତି। ଭିଆଇପି ଆକାଉଣ୍ଟ୍‌ ପାଇଁ ୱିବୋରେ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ରହିଛି। ଆକାଉଣ୍ଟ୍‌ ଛାଡ଼ିବାକୁ ହେଲେ ୱିବୋରେ ବହୁତ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଏଥିପାଇଁ ସରକାରୀ ପ୍ରକ୍ରିୟାରେ ଆକାଉଣ୍ଟ୍‌ ହଟାଇବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ମିଳିଥିବା ଖବର ଅନୁଯାୟୀ ଏହାକୁ ଅନୁମତି ମିଳିବାକୁ ବହୁତ ବିଳମ୍ବ ହୋଇଛି। ୱିବୋରେ ମୋଦୀ ୧୧୫ଟି ପୋଷ୍ଟ୍‌ କରିଥିଲେ। ତେବେ ଏଥିରୁ ୧୧୩ଟି ପୋଷ୍ଟ୍‌ ହଟାଯାଇଥିବା ବେଳେ ୨ଟି ପୋଷ୍ଟ୍‌ ଏଯାବତ୍‌ ରହିଛି। ଏହି ୨ଟି ପୋଷ୍ଟ୍‌ରେ ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଫଟୋ ସେୟାର କରିଥିଲେ। ୱିବୋରେ ଚୀନ୍‌ ରାଷ୍ଟ୍ରପତିଙ୍କ ଫ‌ଟୋ ସହ କିଛି ପୋଷ୍ଟ୍‌ ଥିଲେ ଏହାକୁ ପ୍ରତ୍ୟାହାର କରିବା‌ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ତେଣୁ ଏହି ୨ ଟି ପୋଷ୍ଟ୍‌ ଏବେ ବି ରହିଛି। ଅନ୍ୟ ସମସ୍ତ ‌ପୋଷ୍ଟ୍‌ଗୁଡ଼ିକୁ ଆକାଉଣ୍ଟ୍‌ରୁ ହଟାଯାଇଛି। ମେ’ ୪, ୨୦୧୫ରେ ମୋଦୀ ୱିବୋରେ ଆକାଉଣ୍ଟ୍‌ ଖୋଲିଥିଲେ। ଏହି ଚାଇନିଜ୍‌ ଆପ୍‌ରେ ମୋଦୀଙ୍କ ୨.୪ ଲକ୍ଷ ଅନୁଗାମୀ ରହିଛନ୍ତି। ଭାରତ ୫୯ଟି ଚୀନୀ ଆପ୍‌କୁ ନିଷିଦ୍ଧ କରିବାକୁ ଆମେରିକା ସ୍ବାଗତ କରିଛି। ଏହା ଭାରତର ନାଗରିକଙ୍କ ସୁରକ୍ଷା ସ୍ଥିତିକୁ ସୁଦୃଢ଼ କରିବ ବୋଲି ଆମେରିକା କହିଛି।

ସମ୍ବନ୍ଧିତ ଖବର