ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଏହାପରେ ସେ ନିଜ ଆସନରୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କରିଥିଲେ। ଏହି ଆଲିଙ୍ଗନକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ଏହି ଆଲିଙ୍ଗନ ରାହୁଲଙ୍କ ଏକ ଅପରିପକ୍ୱ କାର୍ଯ୍ୟ ବୋଲି ବିଜେପି କହିଛି। ସେହିଭଳି ରାହୁଲଙ୍କ ଭାଷଣରେ ସେମିତି କିଛି ନାହିଁ। ଏହା ବଡ଼ଧରଣର ଆମୋଦକାରୀ ଭାଷଣ ବୋଲି ବିଜେପି କହିଛି। କେନ୍ଦ୍ରମନ୍ତ୍ରୀ ବବୁଲ ସୁପ୍ରିୟୋ କହିଛନ୍ତି, କଂଗ୍ରେସ ଅନେକ ଭୁଲ କାର୍ଯ୍ୟ କରିଥିଲେ ମଧ୍ୟ ସେହି ଦଳର ଏକ ପରମ୍ପରା ଓ ଇତିହାସ ରହିଛି। ତାକୁ ଦଳ ସମ୍ମାନ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ମୋଦୀଙ୍କୁ ରାହୁଲଙ୍କ ଆଲିଙ୍ଗନକୁ ସେ ଏକକ ଅଭିନୟ ଭାବେ ବର୍ଣ୍ଣନା କରିଛନ୍ତି। ଅଭିନେତାରୁ ନେତା ପାଲଟିଥିବା ବିଜେପି ଏମ୍ପି କିରଣ ଖେର୍ କହିଛନ୍ତି, ରାହୁଲ ବଲିଉଡ ଯିବା ଉଚିିତ। ସେଠାକୁ ଯାଇ ତାଙ୍କର ଅଭିନୟ କଳାକୁ ଆହୁରି ଶାଣିତ କରିବା ଆବଶ୍ୟକ। ତେବେ କଂଗ୍ରେସ ରାହୁଲ୍ଙ୍କ ଭାଷଣକୁ ଯୁଗାନ୍ତକାରୀ ବୋଲି କହିଛି। କଂଗ୍ରେସ ଏମ୍ପି ଶଶି ଥରୁର୍ ରାହୁଲ୍ଙ୍କ ଭାଷଣକୁ ଢେର୍ ପ୍ରଶଂସା କରିଛନ୍ତି। ଏହା ଏକ ଯୁଗାନ୍ତକାରୀ ଭାଷଣ। ସରକାର ଯାହା ସବୁ ଦାବି କରୁଛନ୍ତି ତାହାକୁ ଖଣ୍ଡନ କରିବା ଏବଂ ଶେଷରେ ମୋଦୀଙ୍କୁ ଅଲିଖିତ ଆଲିଙ୍ଗନ କରିବା ବିଜେପିର ନିଃଶ୍ୱାସ ଅଟକାଇ ଦେଇଛି ବୋଲି ଥରୁର୍ କହିଛନ୍ତି।
ରାହୁଲଙ୍କ ଆଚରଣର ପୁନରାବୃତ୍ତି ନ ହେଉ: ସ୍ୱାମୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂସଦରେ ଆଲିଙ୍ଗନ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଅପରିପକ୍ୱତା ବା ପିଲାଳିଆମିର ପରିଚୟ ଦେଇଛନ୍ତି। ଏଭଳି ଘଟଣାର ପୁନରାବୃତ୍ତି ନ ହେଉ। ଯଦି ଭବିଷ୍ୟତରେ ଏହାର ପୁନରାବୃତ୍ତି ଘଟେ, ତେବେ ସଂସଦ ଏକ ବିଶୃଙ୍ଖଳିତ ସ୍ଥାନରେ ପରିଣତ ହେବ। ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଏଭଳି କହିଛନ୍ତି। ଗୃହ ମଧ୍ୟରେ ସଦସ୍ୟମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
ଅସୁବିଧା କ’ଣ ରହିଲା: ଆପ୍
ତେବେ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ମୋଦିଙ୍କୁ ରାହୁଲଙ୍କ ଆଲିଙ୍ଗନକୁ ସମର୍ଥନ କରିଛନ୍ତି। ଆପ୍, ଆର୍ଜେଡି ଏହାକୁ ସମର୍ଥନ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି କହିଛି ଅନେକ ସମୟରେ ପ୍ରଧାନମନ୍ତ୍ରୀ ବିଦେଶୀ ମୁଖ୍ୟମାନଙ୍କୁ ଆଲିଙ୍ଗନ କରୁଛନ୍ତି। ତେଣୁ ସଂସଦ ମଧ୍ୟରେ ମୋଦୀଙ୍କୁ ରାହୁଲ ଆଲିଙ୍ଗନ କରିବାରେ କ’ଣ ଅସୁୁବିଧା ରହିଛି ବୋଲି ଏହି ଦଳ କହିଛି।
ତେଜସ୍ୱୀ ଯାଦବଙ୍କ ପ୍ରଶଂସା
ଆର୍ଜେଡି ନେତା ତେଜସ୍ୱୀ ଯାଦବ ରାହୁଲଙ୍କ ଭାଷଣକୁ ଖୁବ୍ ପ୍ରଶଂସା କରିଛନ୍ତି। ମୋଦି ସରକାରଙ୍କ ମିଛକୁ ପଦାରେ ପକାଇ ଥିବାରୁ ଶ୍ରୀ ଯାଦବ ରାହୁଲଙ୍କୁ ସ୍ୱାଗତ କରିଛନ୍ତି।
ନାଗରିକଙ୍କ ଅନୁଭବକୁ ରାହୁଲ ବଖାଣିଛନ୍ତି: ଶରଦ ଯାଦବ
ରାଜ୍ୟସଭା ସାଂସଦ ଶରଦ ଯାଦବ ମଧ୍ୟ ରାହୁଲଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି। ଏକ ଟ୍ଵିଟ୍ ବାର୍ତ୍ତାରେ ଶ୍ରୀ ଯାଦବ କହିଛନ୍ତି, ରାହୁଲ ନିଷ୍ଠାର ସହିତ କହିଛନ୍ତି। ଦେଶର ପ୍ରତ୍ୟେକ ନାଗରିକଙ୍କ ଅନୁଭବକୁ ସେ ତାଙ୍କ ଭାଷଣରେ ବଖାଣିଛନ୍ତି। ଏହି ସରକାର ଉପରେ ଲୋକମାନେ ବିରକ୍ତ ହୋଇଗଲେଣି। ରାହୁଲ ଯାହା କହିଲେ ତାଙ୍କ ସହ ମୁଁ ଏକମତ ବୋଲି ଶ୍ରୀ ଯାଦବ କହିଛନ୍ତି।