ଜନ୍ମଦିନରେ ମନମୋହନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ, ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହ ସେ କହିଛନ୍ତି ଯେ ଡ. ସିଂହ ହେଉଛନ୍ତି ଜଣେ ଉତ୍ତମ ରାଷ୍ଟ୍ରନେତା। ତାଙ୍କର ନମ୍ରତା, ତ୍ୟାଗ ଓ ଦେଶ ବିକାଶରେ ଅବଦାନ ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟର ମାଧ୍ୟମରେ ଡ. ସିଂହଙ୍କୁ ତାଙ୍କର ୯୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୁସ୍ଥ ଓ ସୁଦୀର୍ଘ ଜୀବନ କାମନା କରିଛନ୍ତି।

ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ସିଂହ କଂଗ୍ରେସ ନେତତ୍ବାଧୀନ ଉପା ସରକାର ଅମଳରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେ ମଧ୍ୟ ପିଭି ନରସିଂହରାଓଙ୍କ ନେତୃତ୍ବାଧୀନ ସରକାର ଅମଳରେ ୧୯୯୧-୯୬ ମଧ୍ୟରେ ଭାରତର ଅର୍ଥମନ୍ତ୍ରୀ ଥିଲେ। ସେହି ସମୟରେ ସେ ଦେଶର ଅର୍ଥନୀତିରେ ଅନେକ ସଂସ୍କାର ଆଣିଥିଲେ। ରାହୁଲ ତାଙ୍କୁ ଜନ୍ମଦିନର ‌ଶୁଭେଚ୍ଛା ଜଣାଇବା ସହ ଟ୍ବିଟ୍ କରି ଲେଖିଛନ୍ତି ଯେ ଡ. ସିଂହ ହେଉଛନ୍ତି ତାଙ୍କ ପାଇଁ ଏବଂ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ। କଂଗ୍ରେସର ଯୋଗାଯୋଗ ବିଭାଗ ମୁଖ୍ୟ ପବନ ଖେରା କହିଛନ୍ତି ଯେ, ଗଲା ୨୪ ବର୍ଷ ଭିତରେ ତିନିଜଣ ପ୍ରଧାନମନ୍ତ୍ରୀଙ୍କୁ ବେଶି ଲୋକ ଜାଣିଛନ୍ତି। ଜଣେ ଖୁବ୍ ଭଲ ବକ୍ତା (ବାଜପେୟୀ), ଜଣେ ତାଙ୍କର କାମ ପାଇଁ ଜଣାଶୁଣା (ମନମୋହନ) ଏବଂ ଆଉ ଜଣେ କେବଳ ଆତ୍ମବଡ଼ିମା ଦେଖାଇବା ପାଇଁ ବିଖ୍ୟାତ (ମୋଦୀ)। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର