ପାଟନା: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ବଞ୍ଚିତ ସଂପ୍ରଦାୟଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ବିହାରର ମୋତିହାରୀରେ ଲୋକସଭା ନିର୍ବାଚନ ପାଇଁ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଏଭଳି ବୟାନ ରଖିଛନ୍ତି। ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ବାବା ସାହେବ ଆମ୍ବେଦକର ନଥାନ୍ତେ, ତେବେ ନେହରୁ କେବେ ବି ଏସସି, ଏସଟି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣ ପାଇଁ ରାଜି ହୋଇନଥାନ୍ତେ । ନେହରୁ ଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଥିଲେ। ଇନ୍ଦିରା ଗାନ୍ଧୀ ହୁଅନ୍ତୁ କି ରାଜୀବ ଗାନ୍ଧୀ ସମସ୍ତେ ସଂରକ୍ଷଣକୁ ବିରୋଧ କରିଥିଲେ। ଏସସି, ଏସଟି ଏବଂ ଓବିସିଙ୍କୁ କଂଗ୍ରେସ ପକ୍ଷରୁ କେବେ ବି ସମ୍ମାନ ମିଳିନାହିଁ ବୋଲି ମୋଦୀ କହିଛନ୍ତି।
କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରି ମୋଦୀ କହିଛନ୍ତି ଯେ ବିଜେପି ବହୁମତରେ କ୍ଷମତାକୁ ଫେରିବା ପରେ ସମ୍ବିଧାନରେ ପରିବର୍ତ୍ତନ କରି ସଂରକ୍ଷଣ ଉଚ୍ଛେଦ କରିପାରିବ ବୋଲି ସେମାନେ ମିଥ୍ୟା ପ୍ରଚାର କରୁଛନ୍ତି। ବିଜେପି ବଞ୍ଚିତ ଜାତିଙ୍କ ଅଧିକାରର ସୁରକ୍ଷା କରୁଛି। କେବଳ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଦ୍ୱାରା ହିଁ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ଅଧିକାର ସୁରକ୍ଷିତ ରହିଛି। ଧର୍ମ ଆଧାରରେ ସଂରକ୍ଷଣ ସୁବିଧା ଦେବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ‘ସେମାନେ ଏହା କରିବାକୁ ଚାହୁଁଛନ୍ତି କାରଣ ସେମାନଙ୍କ ପାଖରେ ଏବେ କେବଳ ଗୋଟିଏ ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଆଉ ଏସସି, ଏସଟି ଏବଂ ଓବିସି ସମର୍ଥନ କରୁନାହାନ୍ତି, ତେଣୁ ସେମାନେ ଏବେ କେବଳ ଭୋଟ୍ ଜିହାଦ କରୁଥିବା ଲୋକଙ୍କ ପ୍ରତି ଧ୍ୟାନ ଦେଉଛନ୍ତି’ ବୋଲି ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଚାର ସମୟରେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟ ପାଇଁ ଥିବା ସଂରକ୍ଷଣକୁ ଧର୍ମ ଆଧାରରେ ଦେବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ମୋଦୀ ବାରମ୍ବାର ଅଭିଯୋଗ କରିଛନ୍ତି । ‘ସେମାନେ (କଂଗ୍ରେସ) ଏବେ ଭୋଟ୍ ବ୍ୟାଙ୍କ ପାଇଁ ସମ୍ବିଧାନକୁ ଅପମାନିତ କରୁଛନ୍ତି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଦଳିତ, ଏସସି, ଏସଟି ଏବଂ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଧର୍ମ ନାମରେ ମୁସଲମାନମାନଙ୍କୁ ଦେବାକୁ ଦେବି ନାହିଁ ବୋଲି ’ ପ୍ରଧାନମନ୍ତ୍ରୀ ନିକଟରେ ଏକ ରାଲିରେ କହିଥିଲେ।