କାଜାନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ବେଳେ ପୁଣି ଥରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Advertisment

ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପୁଟିନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ମୁଁ ଆପଣଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି । ଯେପରି ମୁଁ ପୂର୍ବରୁ କହିସାରିଛି, ଆମେ ବିଶ୍ୱାସ କରୁ ଯେ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ହେବା ଉଚିତ୍ । ଶାନ୍ତି ଓ ସ୍ଥିରତାର ଦ୍ରୁତ ପ୍ରତିଷ୍ଠାକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସରେ ମାନବିକତାକୁ ପ୍ରାଥମିକତା ଦିଆଯାଉଛି । ଭବିଷ୍ୟତରେ ଯେକୌଣସି ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଅଛି।

ଏହି ଅବସରରେ ପୁଟିନ କହିଛନ୍ତି, ଆସନ୍ତା ଡିସେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ପରବର୍ତ୍ତୀ ଆନ୍ତଃସରକାରୀ କମିଶନ ବୈଠକ ଅନୁଷ୍ଠିତ ହେବ। ଆମର ପ୍ରକଳ୍ପ ଗୁଡ଼ିକ କ୍ରମାଗତ ଭାବରେ ବିକଶିତ ହେଉଛି । ଆପଣ କାଜାନରେ ଏକ ଭାରତୀୟ ବାଣିଜ୍ୟ ମିଶନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ଏହାକୁ ସ୍ୱାଗତ କରୁଛୁ । ଭାରତର ନୀତିଦ୍ୱାରା ଆମର ସହଯୋଗ ଲାଭବାନ ହେବ । ରୁଷିଆରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ଦେଖି ଆମେ ବହୁତ ଆନନ୍ଦିତ। ଆଗାମୀ ଦିନରେ ଭାରତ ଓ ରୁଷ ମଧ୍ୟରେ ସଂପର୍କ ଆହୁରି ଦୃଢ ହେବ ।