ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଭିଡ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଉପଲବ୍ଧ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଦେଶର ସବୁ ସମ୍ବଳ ପ୍ରୟୋଗ କରି ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେ ଆହ୍ବାନ ଜଣାଇଥିଲେ । ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ପରୀକ୍ଷା, ଟ୍ରାକିଂ ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସେ ମଧ୍ୟ ରାମଡେସଭିର ଔଷଧର ଉପଲବ୍ଧତାର ସମୀକ୍ଷା କରିଥିଲେ । ଏହି ବୈଠକରେ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଗତ କାଲି ଦେଶରେ ପ୍ରାୟ ୨ ଲକ୍ଷ ୩୪ ହଜାର ନୂଆ କରୋନା ସଂକ୍ରମଣ ଦେଖାଦେଇଛି । ଏହା ସହିତ ୧୩୪୧ ଜଣ ମୃତ୍ୟୁବରଣ କରିଛନ୍ତି ।