ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳ ଏମ୍ପିମାନଙ୍କ ମୋଦୀ-ଆଦାନି ଭାଇ-ଭାଇ’ ସ୍ଲୋଗାନ ଭିତରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଭାଷଣରେ ବିକଶିତ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ମୋଦୀ ଆଲୋଚନା କରୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଆଦାନି ଗ୍ରୁପ୍ ବିରୋଧରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ।
ବିରୋଧୀ ଦଳମାନଙ୍କୁ ମୋଦୀ କହିଥିଲେ, ତୁମେ ଯେତେ ପଙ୍କ ଫୋପାଡ଼ିବ, ତା’ ଭିତରୁ ସେତେ ପଦ୍ମ ଫୁଟି ବାହାରିବ। ଗୃହରେ କିଛି ଲୋକଙ୍କ ଭାଷା ଓ ବ୍ୟବହାର ଦେଶବାସୀଙ୍କ ମନରେ ନୈରାଶ୍ୟ ସୃଷ୍ଟି କରିଛି ବୋଲି ସେ କହିଥିଲେ। ମୋଦୀ ମାଣିକ ବର୍ମାଙ୍କ ଏକ କବିତା ଆବୃତ୍ତି କରି କହିଥିଲେ, ‘କୀଚଡ଼ ଉନ୍କେ ପାସ ଥା, ମେରେ ପାସ ଗୁଲାଲ, ଜୋ ଜିସକେ ପାସ ଥା, ଉସନେ ଦିୟା ଉଛାଲ।’ ଏହି ଅବସରରେ ମୋଦୀ ଭାରତର ପଛୁଆପଣ ନେଇ କଂଗ୍ରେସ ଉପରେ ବର୍ଷିଥିଲେ। ସେ କହିଥିଲେ ୬୦ ବର୍ଷ ଧରି କଂଗ୍ରେସ ଭାରତର ଅଗ୍ରଗତିର ପଥରୋଧ କରିଆସିଥିଲା। ଛୋଟଛୋଟ ଦେଶ ଉନ୍ନତି କରିଗଲେ ଅଥଚ ଭାରତ ପଛରେ ପଡ଼ିଥିଲା। ସେମାନଙ୍କ ଦୁର୍ନୀତି ଯୋଗୁ ଭାରତୀୟମାନେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ବିଜେପି ତା’ର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟ କରୁଛି ବୋଲି ମୋଦୀ କହିଥିଲେ। ମୋଦୀ କହିଥିଲେ, କଂଗ୍ରେସ ତାଙ୍କ ଶାସନକାଳରେ ନିଅଁ ପକେଇବାକୁ ଚେଷ୍ଟା କରିଛି, ଯାହା ଖଡ଼ଗେ ଦାବି କରିଛନ୍ତି, ମାତ୍ର ଏହି ନିଅଁ ପକେଇବାକୁ ଚେଷ୍ଟା କରିବା ଭିତରେ ପୂରା ଶାସନକାଳରେ ସେମାନେ କେବଳ ଗାତ ଖୋଳିଛନ୍ତି।
ଏହି ଅବସରରେ ମୋଦୀ ତାଙ୍କ ୯ ବର୍ଷ ଶାସନକାଳର କେତେକ ସଫଳତା ବଖାଣିଥିଲେ। ବିରୋଧୀ ଦଳ ସାଂସଦଙ୍କ ଅନବରତ ଆଦାନି ସ୍ଲୋଗାନ ଭିତରେ ମୋଦୀ କହିଥିଲେ ଯେ ଦେଶ ଏବେ ଦେଖୁଛି ଜଣେ ଜଣେ ଏକାକୀ କେତେ ଜଣଙ୍କ ଉପରେ ଭାରୀ ପଡ଼ୁଛି। ସ୍ଲୋଗାନ ଦେବାପାଇଁ ବି ସେମାନେ ପାଳି କରୁଛନ୍ତି। ମୁଁ ଦେଶ ପାଇଁ ବଞ୍ଚିଛି ଏବଂ ଦେଶପାଇଁ ତିଆରି ହୋଇଛି। କଂଗ୍ରେସ ଦେଶର ଅର୍ଥନୀତିକୁ ଅନର୍ଥନୀତିରେ ପରିଣତ କରିଛି ଏବଂ କେତେକ ରାଜ୍ୟ ଅତ୍ୟନ୍ତ ବେପରୁଆ ଋଣ ନୀତିରେ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ସେମାନେ ଋଣ ଭାର ବଢ଼ାଇ ରାଜ୍ୟର ଭବିଷ୍ୟତକୁ ବିପନ୍ନ କରିଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳମାନେ ୨୪ ଘଣ୍ଟା କେବଳ ରାଜନୀତି ବ୍ୟତୀତ ଅନ୍ୟ କିଛି କରୁନାହାନ୍ତି ଏବଂ ସେମାନଙ୍କ ଅନର୍ଥକାରୀ ଅର୍ଥନୀତି ଯୋଗୁଁ ସମସ୍ୟା ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଚିନ୍ତା ନକରି ଅନର୍ଥକାରୀ ନୀତିରେ କାର୍ଯ୍ୟ କଲେ ଦେଶପାଇଁ ସଙ୍କଟ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଶ୍ରୀଲଙ୍କା ଏବଂ ପାକିସ୍ତାନର ଉଦାହରଣ ମଧ୍ୟ ଦେଇଛନ୍ତି।