ଦରାଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଦରାଙ୍ଗରେ ଏକ ବିଶାଳ ଜନସଭାକୁ ଉଦ୍‌ବୋଧନ ଦେଇ କଂଗ୍ରେସ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ  କହିଛନ୍ତି ଯେ କଂଗ୍ରେସ ପାକିସ୍ତାନ-ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ଓ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଅପରେସନ୍ ସିନ୍ଦୂର  ପରେ  ପ୍ରଥମ ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି,  କଂଗ୍ରେସ ଗୋଟିଏ ପଟେ ସେନାର ମନୋବଳକୁ ଦୁର୍ବଳ କରିବା ପାଇଁ ଲଗାତାର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ଦେଶବିରୋଧୀ ଶକ୍ତିଙ୍କୁ ସମର୍ଥନ ଦେଇଚାଲିଛି। ମୋଦୀ କହିଛନ୍ତି, ‘ଅପରେସନ୍ ସିନ୍ଦୂର ପରେ ମୋର ପ୍ରଥମ ଆସାମ ଗସ୍ତ ମା କାମାକ୍ଷାଙ୍କ ଆଶୀର୍ବାଦରେ  ସଫଳ ହୋଇଛି। ଆଜି ଏହି ପବିତ୍ର ଭୂମିରେ ଦିବ୍ୟ ଅନୁଭବ କରୁଛି।’ ସୁଦର୍ଶନ ଚକ୍ର ମିସନ ଉପରେ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସୁଦର୍ଶନ ଚକ୍ର  ମିସନ ୨୦୩୫ ସୁଦ୍ଧା  ଦେଶ ପାଇଁ ଅଭେଦ୍ୟ ସୁରକ୍ଷା ବଳୟ ନିର୍ମାଣ କରିବ। ଏହା ଯେ କୌଣସି ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବ ଓ ପ୍ରତିକାର ମଧ୍ୟ କରିବ। କଂଗ୍ରେସକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି,  କଂଗ୍ରେସ ଆମ ବୀର ସୈନିକଙ୍କୁ ସମର୍ଥନ ନକରି ଦେଶର ଏକତାକୁ ବିପଦରେ ପକାଉଛି।  ଆସାମ ଦେଶର ଏକତାର ଏକ ପରିଚୟ ଓ ସାହସର କେନ୍ଦ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସମଗ୍ର ବିକାଶ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ  ବିଭିନ୍ନ ଗୁରୁ୍ତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।  

Advertisment

‘ମୁଁ ଶିବ ଭକ୍ତ, ସବୁ ବିଷ ପିଇ ଦିଏ’
ଦରାଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମର ଦରାଙ୍ଗ ଜିଲ୍ଲାରେ ୬,୩୦୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି, ‘ମୁଁ ଶିବ ଭକ୍ତ ଏବଂ ସବୁ ବିଷ ପିଇ ଦିଏ।’ ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀଙ୍କ  ଦିବଙ୍ଗତ ମା’ଙ୍କୁ ନେଇ ବିହାରରେ ଅନୁଷ୍ଠିତ ଇଣ୍ଡିମେଣ୍ଟର ଏକ ରାଲିରେ ଅପମାନଜନକ ଟିପ୍ପଣୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ରଖିଛନ୍ତି।

ମାଆଙ୍କୁ ଗାଳି ଉପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳମାନେ ମୋ ବିରୋଧରେ ଓ ମୋ ମା’ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି, କିନ୍ତୁ ସେ ଶିବଙ୍କ ଭଳି ସବୁ ବିଷ ପିଇ ଯାଉଛନ୍ତି ।  ବିହାରର ଦରଭଙ୍ଗାରେ ଇଣ୍ଡି ମେଣ୍ଟର ଭୋଟର ଅଧିକାର ଯାତ୍ରା ସମୟରେ ମଞ୍ଚରୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କୁ ଗାଳି ଦେବାର ଏକ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମାମଲାରେ ବିହାର ବିଜେପି ଅଭିଯୋଗ କରିବା ପରେ ଦରଭଙ୍ଗା ପୁଲିସ ମହମ୍ମଦ ରିଜଭି ଉର୍ଫ ରାଜାକୁ ଗିରଫ କରିଛି।