ବିଜେପି ବିଶ୍ୱାସ କରେ ପ୍ରଥମେ ଦେଶ ପରେ ଦଳ ତା ପରେ ବ୍ୟକ୍ତି: ମୋଦୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ, ବିଜେପି ଆରମ୍ଭରୁ ବିଶ୍ୱାସ କରେ ଯେ ଜଣେ ବ୍ୟକ୍ତି ଅପେକ୍ଷା ଦଳ ବଡ ହୋଇଥାଏ ଏବଂ ଏକ ଦଳ ଅପେକ୍ଷା ଦେଶ ବଡ ହୋଇଥାଏ | କର୍ମୀଙ୍କ ବଳିଦାନ ଏବଂ ସଂକଳ୍ପ ଯୋଗୁଁ ଦଳ ଆଜି ଆଗକୁ ବଢିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ବରିଷ୍ଠ ନେତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବିଜେପି ପ୍ରତିଷ୍ଠା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜି ଦଳ ୪୧ ବର୍ଷର ଗୌରବମୟ ଯାତ୍ରାରେ ପାଦ ଥାପିଛି | ସେବା ଏବଂ ନିଷ୍ଠା ସହିତ ଏକ ଦଳ କିପରି କାର୍ଯ୍ୟ କରେ ୪୧ ବର୍ଷ ଧରି ସମୟ ଏହାର ସାକ୍ଷୀ ଅଛି | ଆମ ଦେଶରେ ରାଜନୈତିକ ସ୍ୱାର୍ଥ ପାଇଁ ଦଳ ଭାଙ୍ଗିବାର ଅନେକ ଉଦାହରଣ ଅଛି କିନ୍ତୁ ଦେଶର ସ୍ୱାର୍ଥ ପାଇଁ ଗଣତନ୍ତ୍ର ପାଇଁ ଦଳ ମିଶ୍ରଣର କୌଣସି ଘଟଣା ଦେଖିବାକୁ ମିଳିବ ନାହିଁ। ଭାରତୀୟ ଜନତା ପାର୍ଟି ଏହା କରି ଦେଖାଇଛି’ |

ସୂଚନା ଥାଉ କି ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରାଯାଇଥିଲା। ଏହି ନୂତନ ଦଳ ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନସଂଘରୁ ଆରମ୍ଭ ହୋଇଥିଲା। ୧୯୭୭ ରେ ଜରୁରୀକାଳୀନ ଘୋଷଣା ପରେ ଜନସଂଘ ଅନ୍ୟାନ୍ୟ ଦଳ ସହ ମିଶି ଜନତା ପାର୍ଟି ଆରମ୍ଭ ହୋଇଥିଲା । ୧୯୮୦ରେ ଜନତା ଦଳ ବିଲୋପ ହୋଇ ଭାରତୀୟ ଜନତା ପାର୍ଟିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର