ନୂଆଦିଲ୍ଲୀ: ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ ବୋଲି ଇସ୍ରାଏଲ କହିଛି । ଏହା ସହିତ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କରାଯାଇଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି ଓ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଦୁଃଖଦ ସମୟରେ ଇସ୍ରାଏଲର ପୀଡିତଙ୍କ ପରିବାର ସହ ଭାରତର ସହାନୁଭୂତି ରହିଛି।
ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିଛନ୍ତି ଏବଂ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପ୍ରତିଶୋଧ ନେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଉପରେ ହାମାସର ଆକ୍ରମଣକୁ ସମାଲୋଚନା କରିବାବେଳେ ସମବେଦନା ଜଣାଇବା ସହ ଇସ୍ରାଏଲର ନାଗରିକଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି କଠିନ ସମୟରେ ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ | ଇସ୍ରାଏଲର ପୀଡିତଙ୍କ ସହ ଦେଶ ଛିଡା ହୋଇଛି। ତେବେ ମୋଦୀଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ସମ୍ପର୍କ ସେଭଳି ଅତୁଟ ରହିଛି । ଏହି ସଙ୍କଟ ସମୟରେ ଭାରତ ସରକାର ମଧ୍ୟ ଇସ୍ରାଏଲକୁ ନୈତିକ ସମର୍ଥନ ଦେଇଛନ୍ତି।