ମସ୍କୋ: ଜୟ ଜଗନ୍ନାଥ ସହ ଓଡ଼ିଶାରେ କିଭଳି ପରିବର୍ତ୍ତନ ହେଲା ସେହି କଥା ପ୍ରବାସୀ ଭାରତୀୟଙ୍କୁ ସୁଦୂର ରୁଷରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ | ଆଉ ଏହାରି ଭିତରେ ରଥଯାତ୍ରା ସହ ମହାପ୍ରଭୁଙ୍କ ମହିମାକୁ ମଧ୍ୟ ବଖାଣିଥିଲେ | ନିଜ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 'ଏଥର ହୋଇଥିବା ନିର୍ବାଚନରେ ୪ଟି ରାଜ୍ୟରେ ଏନଡିଏର ବିଜୟ ହୋଇଛି | ଅରୁଣାଚଳପ୍ରଦେଶ, ସିକିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ହୋଇଥିଲା | ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି, ଜୟ ଜଗନ୍ନାଥ | ମୋଦୀଙ୍କ ମୁହଁରୁ ଜୟ ଜଗନ୍ନାଥ ଶୁଣି ସମବେତ ପ୍ରବାସୀ ଭାରତୀୟମାନେ ଜୟ ଜଗନ୍ନାଥ ବୋଲି କହିଥିଲେ |

Advertisment

ଓଡ଼ିଶାରେ ବହୁତ ବଡ ପରିବର୍ତ୍ତନ ହୋଇଛି | ଆଉ ଏଥିପାଇଁ ମୁଁ ଆଜି ଆପଣଙ୍କ ଗହଣରେ ଓଡ଼ିଶାର ଉତ୍ତରୀୟ ପିନ୍ଧି ଆସିଛି | ମହାପ୍ରଭୁଙ୍କ କରୁଣା ଆପଣମାନଙ୍କ ଉପରେ ରହୁ, ଆପଣମାନେ ସୁସ୍ଥ ରୁହନ୍ତୁ ଏତିକି କାମନା କରିବି | ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତକାଲି ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଥିଲେ । ‌ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ରୁଷ୍‌ର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋବ ମୋଦୀଙ୍କୁ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ମୋଦୀ ମସ୍କୋର କାର୍ଲଟନ ହୋଟେଲରେ ପହଞ୍ଚିବାପରେ ତାଙ୍କୁ ସେଠାରେ ଅପେକ୍ଷାରତ ଭାରତୀୟ ବଂଶୋଦ୍ଭବମାନେ ଭବ୍ୟ ସ୍ବାଗତ କରିଥିଲେ। ମୋଦୀ ସେମାନଙ୍କ ସହ କିଛି ସମୟ କଥା ହୋଇଥିଲେ।