ମୋଦି ସାଙ୍ଗିଆ ମନ୍ତବ୍ୟ: ରାହୁଲଙ୍କୁ ବ୍ରିଟେନ୍‌ କୋର୍ଟକୁ ଟାଣିବାକୁ ଲଳିତ ମୋଦୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ୍‌ର ପ୍ରତିଷ୍ଠାତା ଲଳିତ ମୋଦି ଗୁରୁବାର କହିଛନ୍ତି, ମୋଦୀ ସାଙ୍ଗିଆ ମନ୍ତବ୍ୟ ଉପରେ ସେ ରାହୁଲ ଗାନ୍ଧିଙ୍କୁ ବ୍ରିଟେନ୍‌ କୋର୍ଟକୁ ଟାଣିବେ। ସବୁ ମୋଦି ସାଙ୍ଗିଆଧାରୀ ଚୋର ବୋଲି ରାହୁଲ ଗାନ୍ଧି ୨୦୧୯ରେ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନୀ ରୢାଲିରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ଓ ନିଜର ଲୋକସଭା ସଦସ୍ୟତା ହରାଇବା ପରେ ବିଜେପି-ବିରୋଧୀ ଝାମେଲା ଭିତରେ ଲଳିତ ମୋଦୀ ଏହା କହିଛନ୍ତି।

ଏକାଧିକ ଟ୍ବିଟ୍ କରି ଲଳିତ ମୋଦୀ କହିଛନ୍ତି, କଂଗ୍ରେସ ତାଙ୍କୁ ଜଣେ ପଳାତକ ଅପରାଧୀ ବୋଲି କହୁଛି। କିନ୍ତୁ ସେ କେମିତି ପଳାତକ ହେଲେ? ତାଙ୍କୁ ଏଯାଏ କୌଣସି କୋର୍ଟ ଦୋଷୀ ସାବ୍ୟସ୍ତ କରି ନାହାନ୍ତି। ତେଣୁ ସେ ଏବେ ବି ଜଣେ ସାଧାରଣ ନାଗରିକ। ବରଂ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ୍‌ କ୍ରୀଡ଼ା ଆରମ୍ଭ କରି ଦେଶ ପାଇଁ ୧୦ ବିଲିୟନ ଡଲାରରୁ ଅଧିକ ରୋଜଗାର ଦେଇଛନ୍ତି। ତାଙ୍କ ପ‌ରି ଅନେକ ମୋଦୀ ପରିବାର ଦେଶ ପାଇଁ ଅବଦାନ ରଖିଛନ୍ତି। ଏଣୁ ସବୁ ମୋଦୀଙ୍କୁ ଚୋର କହିଥିବା ରାହୁଲ ଗାନ୍ଧିଙ୍କୁ ଇଂଲଣ୍ଡର କାଠଗଡ଼ାକୁ ଟାଣିବେ ବୋଲି ଲଳିତ ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର