ଦେଶକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର, ସେନା ପଛରେ ସମଗ୍ର ଦେଶ ଏକଜୁଟ୍‌

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭୟଙ୍କର ରୂପ ନେଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେନା ସହିତ ସମଗ୍ର ଦେଶ ଏକଜୁଟ୍‌ ହୋଇ ରହିଛି ଏବଂ ଯେ କୌଣସି ସଙ୍କଟର ମୁକାବିଲା ପାଇଁ ଦେଶବାସୀ ପ୍ରସ୍ତୁତ ଅଛନ୍ତି। ଦେଶର ବୀର ଯବାନ ସୀମାରେ ଏବଂ ସୀମା ପାର୍‌ କରି ନିଜର ପରାକ୍ରମ ଦେଖାଉଛନ୍ତି। ପୂରା ଦେଶ ଯବାନଙ୍କ ପଛରେ ହିମାଳୟ ପରି ଦୃଢ଼ ରହିଛି ଏବଂ ଆମର ବିଜୟ ସୁନିଶ୍ଚିତ ବୋଲି ମୋଦୀ କହିଛନ୍ତି। ବିଜେପିର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ଦ୍ବାରା ଭାରତକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର ହେଉଛି, କିନ୍ତୁ ଦେଶ ଏହାର ଉଚିତ ଜବାବ ଦେଉଛି । ଏଭଳି ସ୍ଥିତିରେ ଏଭଳି କିଛି ଘଟିବା ଉଚିତ ନୁହେଁ ଯେଉଁଥିରେ ସେନାର ମନୋବଳ ଉପରେ କୌଣସି ଆଞ୍ଚ ଆସିବ। ଶତ୍ରୁ ରାଷ୍ଟ୍ରକୁ ଆମ ବିରୋଧରେ ଅଙ୍ଗୁଳି ଉଠାଇବା ପାଇଁ ମଉକା ଦେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ସୁରକ୍ଷା ଏବଂ ସାମର୍ଥ୍ୟର ସଂକଳ୍ପ ନେଇ ଆମର ବୀର ଯବାନ ସୀମାରେ ସଂଘର୍ଷ କରୁଛନ୍ତି। ଏଥିରେ ଦେଶର ସମସ୍ତ ନାଗରିକଙ୍କ ସହଯୋଗ ଓ ସମର୍ଥନ ରହିଛି। ଦେଶର ପ୍ରଗତିକୁ ରୋକିବା ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରାଯିବ ଏବଂ ଏଥିପାଇଁ ରାଷ୍ଟ୍ର ବଦ୍ଧପରିକର ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର