ସିଏଏକୁ ନେଇ ସ୍ପଷ୍ଟ କଲେ ମୋଦୀ: କାହାରି ନାଗରିକତା ଯିବନି, ନାଗରିକତା ମିଳିବ

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ) କାହା ପାଖରୁ ନାଗରିକତା ଛଡ଼ାଇ ନେବନାହିଁ। ଏହି ଆଇନ କେବଳ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି। ପାକିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତକୁ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କୋଲକାତାରେ ରାମକୃଷ୍ଣ ମିସନର ମୁଖ୍ୟାଳୟ ବେଲୁର ମଠରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସିଏଏକୁ ନେଇ ଦେଶର ଯୁବବର୍ଗଙ୍କୁ ବିଭ୍ରାନ୍ତ କରାଯାଉଛି। ସିଏଏ ବିରୋଧରେ ବ୍ୟାପକ ଅପପ୍ରଚାର ଚାଲିଛି। ଆଜି ଜାତୀୟ ଯୁବ ଦିବସ ଅବସରରେ ଯୁବ ଗୋଷ୍ଠୀ ସିଏଏକୁ ନେଇ ରହିଥିବା ସମସ୍ତ ବିଭ୍ରାନ୍ତି ହଟାଇବାକୁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନ ରାତାରାତି ହୋଇଯାଇ ନାହିଁ। ଏଥିପାଇଁ ବ୍ୟାପକ ପ୍ରୟାସ ହୋଇଛି ଏବଂ ଦେଶର ସଂସଦ ଏହାକୁ ଆଇନରେ ପରିଣତ କରିଛି। ଅନେକ ଯୁବକ ଏ କଥା ବୁଝିସାରିଛନ୍ତି। କିନ୍ତୁ ଆହୁରି ଅନେକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁ ଯୁବକମାନେ ଏହା ବୁଝି ପାରୁନାହାନ୍ତି ସେମାନଙ୍କୁ ସିଏଏ ବିଷୟରେ ବୁଝାଇବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟ ଦେଶମାନଙ୍କର ସଂଖାଲଘୁମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ସିଏଏର ଲକ୍ଷ୍ୟ। ଅନ୍ୟ ଦେଶରୁ ଧାର୍ମିକ ଉତ୍ପୀଡ଼ନ ସହିନପାରି ଭାରତକୁ ଚାଲି ଆସୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରିବାକୁ ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ ବୋଲି ମୋଦୀ ସ୍ମରଣ କରାଇ ଦେଇଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି କିଭଳି ଆଚରଣ କରାଯାଉଛି ସାରା ବିଶ୍ୱ ସେ କଥା ଜାଣୁଛି। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ସିଏଏ ମାଧ୍ୟମରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। କେତେକ ରାଜନୈତିକ ଦଳ ସିଏଏକୁ ନେଇ ବିଭ୍ରାନ୍ତିକର ଅପପ୍ରଚାର କରିବାକୁ ପଛାଉ ନାହାନ୍ତି ବୋଲି ମୋଦୀ କହିଛନ୍ତି।

କଂଗ୍ରେସ-ବାମଦଳର ଚାପ! ମୋଦୀଙ୍କ ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ମମତା
କୋଲକାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଦିବସର କୌଣସି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ନାହାନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ। ବାମପନ୍ଥୀ ଓ କଂଗ୍ରେସ ଏ ନେଇ ମମତାଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ସେହି କାରଣରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କ ‌କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ବୋଲି କୁହାଯାଉଛି।  

ସମ୍ବନ୍ଧିତ ଖବର