ସିଏଏ ନେଇ ସଂସଦରେ ବର୍ଷିଲେ ମୋଦୀ: ଭୟ ସୃଷ୍ଟି କରୁଛନ୍ତି ବିରୋଧୀ, ହିଂସାକୁ ଅଧିକାର ବୋଲି ଦାବି କରାଯାଉଛି

ନୂଆଦିଲ୍ଲୀ,: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳମାନେ ଦେଶରେ କାଳ୍ପନିକ ଭୟ ସୃଷ୍ଟି କରିଛନ୍ତି। ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ପାଇଁ ତୁହାକୁ ତୁହା ଉଦ୍ୟମ କରାଯାଉଛି। ସିଏଏକୁ ନେଇ ଦେଶରେ ବିଭାଜନ ସୃଷ୍ଟି କରିବା କଥା କୁହାଯାଉଛି । ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଥିବା ଲୋକଙ୍କ ସହିତ ଛଡ଼ିା ହୋଇ କିଛି ଲୋକ ଫଟୋ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଲୋକସଭାରେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଲୋକସଭାରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କୁ ଦେଶର ଜନତା କ୍ଷମତାରୁ ବାହାର କରିଦେଇଛନ୍ତି ସେମାନେ ଦେଶ ବିରୋଧୀ ମାନସିକତାକୁ ପ୍ରୋତ୍ସାହନ ଦେଉଛନ୍ତି। କଂଗ୍ରେସ ପାଇଁ ମୁସ୍‌ଲିମ କେବଳ ମୁସ୍‌ଲିମ, ଆମ ପାଇଁ ମୁସ୍‌ଲିମ ଭାରତୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ନେତା ପାକିସ୍ତାନର ଭାଷା କହୁଛନ୍ତି। ଦେଶ ଏବେ ଦେଖିସାରିଛି, କେଉଁମାନେ ଦଳ ସହିତ ଅଛନ୍ତି ଏବଂ କେଉଁମାନେ ଦେଶ ସହିତ ଅଛନ୍ତି। ଦେଶ ବିଭାଜନ ପାଇଁ କଂଗ୍ରେସକୁ ଦାୟୀ କରି ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ହେବାକୁ ଇଛା ଯେ କୌଣସି ଲୋକ କରିପାରିବ, କିନ୍ତୁ ଏଭଳି ଇଛା ପୂରଣ ପାଇଁ ଭାରତରେ ବିଭାଜନର ରେଖା ମଧ୍ୟ ଟାଣି ଦିଆଯାଇଛି।

ରାଜ୍ୟସଭାରେ ମଧ୍ୟ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ଦ୍ବାହି ଦେଇ ସିଏଏକୁ ବିରୋଧ ନାମରେ ବ୍ୟାପକ ଅଗଣତାନ୍ତ୍ରିକ କାର୍ଯ୍ୟ ଚାଲିଛି। ବିରୋଧ ନାମରେ ଅରାଜକତା ସୃଷ୍ଟି କରାଯାଉଛି। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଓ ଉଦ୍‌ବେଗକୁ ମଧ୍ୟ ଅରାଜକବାଦୀମାନେ ଭୃକ୍ଷେପ କରୁନାହାନ୍ତି। ହିଂସାକୁ ଆନ୍ଦୋଳନର ନାମ ଦେଇ ଏହାକୁ ଅଧିକାର ବୋଲି ଦାବି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର