ଭିଡ଼ ହିଂସା ନେଇ ମୁହଁ ଖୋଲିଲେ ମୋଦୀ: ଉଦ୍ଦେଶ୍ୟ ଯାହା ଥିଲେ ବି ଅପରାଧ

ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଲୋଡ଼ା

ନୂଆଦିଲ୍ଲୀ: ଦେଶରେ ଭିଡ଼ ହିଂସା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଉଦ୍ଦେଶ୍ୟ ଯାହା ହେଉ ପଛେ ଭିଡ଼ ହିଂସା ଦ୍ୱାରା ଲୋକଙ୍କ ଜୀବନ ନେବା ଏକ ଜଘନ୍ୟ ଅପରାଧ। ଏହାକୁ ରୋକିବା ଲାଗି ସରକାରୀ କଳଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଏହା ବିରୋଧରେ ଲୋକମାନେ ସଚେତନତା ସୃଷ୍ଟି କରିବା ଦରକାର। ମୋ ସରକାର ଏଭଳି ଅପରାଧକୁ ଆଦୌ ପ୍ରଶ୍ରୟ ଦେବନାହିଁ। ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସ୍ୱାଧୀନତାକୁ ସୁରକ୍ଷିତ ଦେବା ଏ ସରକାରର ପ୍ରମୁଖ ଦାୟିତ୍ୱ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ ହିଂସାଜନିତ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ଏଥିପାଇଁ ଏକାଧିକ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଏହାର ପ୍ରତିକାର ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯିବା ଦରକାର। ଏଥିପାଇଁ ରାଜ୍ୟ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳି ଜାରି କରାଯାଇଛି। ତେଣୁ ରାଜ୍ୟଗୁଡ଼ିକ ନିଜ କ୍ଷେତ୍ରରେ ଏଭଳି ଘଟଣାର ମୁକାବିଲା ପାଇଁ ନୂଆ ନିୟମ ଲାଗୁ କରିପାରିବେ। ଯେ କୌଣସି ପରିସ୍ଥିତିରେ କୌଣସି ବ୍ୟକ୍ତି ଆଇନକୁ ନିଜ ହାତମୁଠାକୁ ନେଇପାରିବ ନାହିଁ। ଘଟଣା ଯାହା ହେଲେ ବି ଏହାର ମୁକାବିଲା ପାଇଁ ଦେଶରେ ଆଇନକାନୁନ ରହିଛି। ତେଣୁ ଲୋକମାନେ ଏଭଳି ଭାବେ ଆଇନକୁ ହାତମୁଠାକୁ ନ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ, ସ୍ଥାନ, ସମୟ ନିର୍ବିଶେଷରେ ନିରୀହ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କର କର୍ତବ୍ୟ। ତେଣୁ ମୁଁ ଆଶା କରୁଛି ଭିଡ଼ ହିଂସାକୁ ରୋକିବା ଲାଗି ସବୁ ସ୍ତରରେ ଉଦ୍ୟମ କରାଯିବ। କେବଳ ସରକାର ଚାହିଲେ ହେବନାହିଁ, ରାଜନୈତିକ ଦଳ, ସରକାରୀ କଳ, ସାମାଜିକ କ୍ଷେତ୍ର ମଧ୍ୟ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ତା’ଛଡ଼ା ଏଭଳି ହିଂସାକୁ ରୋକିବା ସକାଶେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ପକ୍ଷରୁ ଦାଖଲ ହେବାକୁ ଥିବା ରିପୋର୍ଟକୁ ତର୍ଜମା କରିବା ସକାଶେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିବା ମୋଦୀ କହିଛନ୍ତି।

ମହାମେଣ୍ଟ ଏକ ‘ଦୁଃସାହସିକତା’ ୨୦୧୯ରେ ବିପୁଳ ସଂଖ୍ୟାରେ ଜିତିବୁ

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ମହାମେଣ୍ଟ ଏକ ବିଫଳ ପ୍ରୟାସ। ଏହା କିଛି ନୁହେଁ, ବରଂ କେବଳ ଏକ ରାଜନୈତିକ ଦୁଃସାହସିକତା, ଯାହା ୨୦୧୯ ସାଧାରଣ ନିର୍ବାଚନରେ ଫେଲ୍‌ ମାରିବ। କାରଣ ଦେଶର ଜନତା ଏବେ ଏକ ଶକ୍ତିଶାଳୀ ଏବଂ ଏକ ଠୋସ୍‌ ନିଷ୍ପତ୍ତି ଗ୍ରହଣକାରୀ ସରକାର ଚାହୁଛନ୍ତି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱାରା ଏହା କେବଳ ସମ୍ଭବ। ତେଣୁ ମହାମେଣ୍ଟର କୌଣସି ମୂଲ୍ୟ ରହିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ ବିରୋଧୀଙ୍କୁ ଏଭଳି ରଣହୁଂକାର ଦେଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଘୋର ନୈରାଶ୍ୟ ମଧ୍ୟଦେଇ ଗତି କରୁଥିବା ଦଳଗୁଡ଼ିକ ଏବେ ମହାମେଣ୍ଟ ନାମରେ ମେଳି କରୁଛନ୍ତି। ଏହାକୁ ‘ମହାମେଣ୍ଟ’ ବୋଲି ସେମାନେ ଅଭିହିତ କରୁଛନ୍ତି। କିନ୍ତୁ ଏହା ମହାମେଣ୍ଟ ନୁହେଁ, ବରଂ ଏକ ରାଜନୈତିକ ଦୁଃସାହସିକତା। ସାଧାରଣ ନିର୍ବାଚନରେ ଏହା କୌଣସି କାମ ଦେବନାହିଁ। ବିଜେପି ହିଁ ୨୦୧୯ରେ ବିପୁଳ ସଂଖ୍ୟାରେ ବିଜୟୀ ହେବ। ବିକାଶ, ଦ୍ରୁତ ବିକାଶ ଏବଂ ସମସ୍ତଙ୍କ ପାଇଁ ବିକାଶ ଭଳି ମନ୍ତ୍ର ନେଇ ଦଳ ରାଜନୈତିକ ରଣାଙ୍ଗନକୁ ଓହ୍ଲାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ କହିଛନ୍ତି, ଅତୀତରେ ଏନ୍‌ଡିଏକୁ ଯେତେ ଆସନ ମିଳିଥିଲା, ୨୦୧୯ରେ ସବୁ ରେକର୍ଡ ଭାଙ୍ଗିଯିବ। ମୁଁ ନିଶ୍ଚିତ ଯେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ବିପୁଳ ସଂଖ୍ୟାରେ ନିର୍ବାଚନ ଜିତିବେ। ଆସାମର ଏନ୍‌ଆର୍‌ସି (ରାଷ୍ଟ୍ରୀୟ ନାଗରିକ ପଂଜିକା) ବାବଦରେ ସେ କହିଛନ୍ତି, କଂଗ୍ରେସର ଏହା ଭୋଟ୍‌ବ୍ୟାଙ୍କ ରାଜନୀତି ହୋଇଥିବାରୁ ଏହା ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିପାରିନଥିଲା। କିନ୍ତୁ ଏନ୍‌ଡିଏ ସରକାର ଏନ୍‌ଆର୍‌ସି ପ୍ରସଙ୍ଗରେ ପଦକ୍ଷେପ ନେଇଛି। ରାଫେଲ ଚୁକ୍ତି ନେଇ ବିରୋଧୀମାନେ କରୁଥିବା ଅଭିଯୋଗ ଉପରେ ମୋଦୀ କହିଛନ୍ତି, କଂଗ୍ରେସ କେବଳ ମିଥ୍ୟାରୋପ ଆଣୁଛି। ଏହା ଏକ ସରକାରରୁ ସରକାର ଚୁକ୍ତି ଥିଲା। ସ୍ୱଚ୍ଛତା ଅବଲମ୍ବନ କରାଯାଇ ଏହି ଚୁକ୍ତି ସଂପାଦିତ ହୋଇଥିଲା।

ସମ୍ବନ୍ଧିତ ଖବର