ଯୋଗୀଙ୍କ କାର୍ଯ୍ୟରେ ମୋଦି-ଶାହ ଅସନ୍ତୁଷ୍ଟ:ରାଜ୍ୟରେ ଦଳୀୟ ସ୍ଥିତି ନେଇ ରିପୋର୍ଟ ମାଗିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସନ୍ତୁଷ୍ଟ ଅଛନ୍ତି। ଗତମାସରେ ଅନୁଷ୍ଠିତ ଗୋରଖପୁର ଏବଂ ଫୁଲପୁର ଲୋକସଭା ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ ନିକଟରେ ୟୁପିର ୪ ଜଣ ଦଳିତ ସାଂସଦଙ୍କ ଅସନ୍ତୋଷ ପରେ ୟୁପି ସ୍ଥିତି ନେଇ ଉଭୟ ମୋଦି ଏବଂ ଶାହ ଚିନ୍ତା ପ୍ରକଟ କରିଛନ୍ତି। ଶନିବାର ଏଥିପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଦିଲ୍ଲୀ ତଲବ କରାଯାଇଥିଲା। ଯୋଗୀ ଉଭୟ ମୋଦି ଏବଂ ଶାହଙ୍କ ସହ ରାଜ୍ୟ ପ୍ରସଙ୍ଗରେ ପୃଥକ ଆଲୋଚନା କରିଥିଲେ। କେତେକ କ୍ଷେତ୍ରରେ ରାଜ ନେତୃତ୍ୱର ବିଫଳତା ନେଇ ଶାହ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟରେ ସବୁକିଛି ଠିକ୍‌ଠାକ କାହିଁକି ଚାଲିନାହିଁ ବୋଲି ମୋଦି ଯୋଗୀଙ୍କୁ ପଚାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଅମିତ ଶାହ ୧୧ ଏପ୍ରିଲରେ ଲକ୍ଷ୍ନୌ ଗସ୍ତ କରି ରାଜ୍ୟରେ ଦଳୀୟ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ତେବେ ମୋଦି ଏବଂ ଶାହଙ୍କ ସହ ଯୋଗୀଙ୍କ ସାକ୍ଷାତ ଆଲୋଚନାକୁ ଦଳ ପକ୍ଷରୁ ଏକ ଶିଷ୍ଟାଚାର ସାକ୍ଷାତ ବୋଲି କୁହାଯାଇଛି। ତେବେ ଏହି ଆଲୋଚନାର ପ୍ରଭାବ ଖୁବ୍‌୍‌ଶୀଘ୍ର ଦେଖିବାକୁ ମିଳିବ ବୋଲି କେତେକ ରିପୋର୍ଟରେ କୁହାଯାଇଛି। ରାଜ୍ୟ ବିଜେପି ସରକାରରେ କେତେକ ବଡ଼ ପରିବର୍ତ୍ତନ ହେବା ଆଶା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର