ସେପ୍ଟେମ୍ବରରେ ହୋଇପାରେ ମୋଦୀ-ସରିଫ ଆଲୋଚନା

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ରାଜଧାନୀ ସମରକନ୍ଦଠାରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି ।

ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ସମେତ ଚୀନ, ରୁଷ, ଇରାନ, ପାକିସ୍ତାନ ପ୍ରଭୃତି ଦେଶ ଯୋଗ ଦେବେ । ଏହି ସମ୍ମିଳନୀ ଅବସରରେ ପାକ ପ୍ରଧାନମନ୍ତ୍ରୀ ସରିଫ ଚୀନ, ରୁଷ, ଇରାନ ଓ ଭାରତ ଆଦି ଦେଶର ଶାସନମୁଖ୍ୟମାନଙ୍କୁ ଭେଟିବେ ବୋଲି ପାକିସ୍ତାନୀ ଗଣମାଧ୍ୟମ ଡେଲି ଜଙ୍ଗ ସୁତ୍ରରୁ ଜଣାପଡ଼ିଛି ।

ତେବେ ପାକିସ୍ତାନର ବିଦେଶମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ କହିଛନ୍ତି ଯେ, ଭାରତ ସହ କୌଣସି ଦ୍ବିପାକ୍ଷିକ ଆଲୋଚନା ହେବ ନାହିଁ । କେବଳ ସାଂଘାଇ ସହଯୋଗ ସଂଗଠନର ସଦସ୍ୟଭାବେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ  ଉକ୍ତ ସମ୍ମିଳନୀରେ ଯୋଗଦେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ହେଉଛି ପାକିସ୍ତାନର ପଡ଼ୋଶୀ ଦେଶ । ଜଣେ ନିଜର ପଡ଼ୋଶୀ ବାଛିପାରିବ ନାହିଁ । ଏଣୁ ତାହା ସହ ରହିବା ଶିଖିବାକୁ ପଡ଼ିବ । ୨୦୧୯ ପରେ ଭାରତ ସହ ଗଠନମୂଳକ ଆଲୋଚନା ସମ୍ଭବ ହୋଇପାରୁ ନାହିଁ । ପୁଣି ଭାରତୀୟ ଅଧିକାରୀମାନଙ୍କ ଦ୍ବାରା ବିଭିନ୍ନ ବିବାଦୀୟ ବୟାନ ସ୍ଥିତିକୁ ଆହୁରି ଜଟିଳ କରୁଛି ।

 

ସମ୍ବନ୍ଧିତ ଖବର