ଟାଇମ୍‌ ମାଗାଜିନ୍‌ର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦୀଙ୍କ ସହ ଶାହିନ ବାଗ୍‌ ଦାଦି ବିଲକିସ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ, ଲଣ୍ଡନ୍‌ର ଭାରତୀୟ ବଂଶୋଦ୍ଭବ ଡାକ୍ତର ରବିନ୍ଦ୍ର ଗୁପ୍ତା , ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍ ଖୁରାନା ଏବଂ ଶାହିନ୍‌ ବାଗ୍‌ ଦିଦି ବିଲ୍‌କିସ୍‌ ୨୦୨୦ ବର୍ଷ ପାଇଁ ଟାଇମ୍‌ ମାଗାଜିନ୍‌ର ଶ୍ରେଷ୍ଟ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ମୋଦୀ ଭାରତର ଏକମାତ୍ର ରାଜନେତା ଭାବେ ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି।

ପୂର୍ବରୁ ୨୦୧୪, ୨୦୧୫ ଏବଂ ୨୦୧୭ରେ ମଧ୍ୟ ମୋଦୀଙ୍କ ନାମ ଟାଇମ୍‌ ମାଗାଜିନ୍‌ର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହୋଇଥିବା ଶାହିନ୍‌ ବାଗ୍‌ ଆନ୍ଦୋଳନରେ ଜଣେ ଚର୍ଚ୍ଚିତ ଚେହେରା ବିଲକିସ୍‌ ମଧ୍ୟ ଟାଇମ୍‌ର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛନ୍ତି। ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ୮୨ ବର୍ଷୀୟା ବିଲ୍‌କିସ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଟାଇମ୍‌ ମାଗାଜିନ୍‌ରେ ସାମ୍ବାଦିକ ରାଣା ଆୟୁବ୍‌ଙ୍କ ଦ୍ବାରା ଲେଖାଯାଇଥିବା ଏକ ସ୍ତମ୍ଭରେ ଏହା କୁହାଯାଇଛି ଯେ, ବିଲକିସ୍‌ ଅସହାୟମାନଙ୍କର ସ୍ବର ଥିଲେ।

ଅଭିନେତା ଆୟୁଷ୍ମାନ୍‌ ଖୁରାନା ଏକମାତ୍ର ବଲିଉଡ୍‌ ଅଭିନେତା ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତର ରବିନ୍ଦ୍ର ଗୁପ୍ତା ଏଚ୍‌ଆଇଭିର ଗବେଷଣାରେ ଜଣେ ଅଗ୍ରଣୀ। ସେ ମଧ୍ୟ ଟାଇମ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ରହିଛନ୍ତି। ମାଗାଜିନ୍‌ରେ ସ୍ଥାନ ପାଇଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଆମେରିକାର ଡେମୋକ୍ରାଟିକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହେରିସ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌।

ସମ୍ବନ୍ଧିତ ଖବର