ମୋଦୀ, ଶାହଙ୍କ ମନ୍ତ୍ରୀ ପାୱାରଙ୍କୁ ଧମକ ଦେଉଛନ୍ତି: ସଂଜୟ ରାଉତ

ବିଦ୍ରୋହୀ ବିଧାୟକଙ୍କୁ ଧମକ: ଏବେ ଅସଲ ଲଢ଼େଇ ରାସ୍ତାରେ ହେବ

ନୂଆଦିଲ୍ଲୀ : ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଇଛନ୍ତି ବୋଲି ଶିବସେନା ନେତା ସଂଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି। ଯଦି ଏମ୍‌ଭିଏ ସରକାରକୁ ସୁରକ୍ଷା ଦେବାପାଇଁ ଉଦ୍ୟମ ହୁଏ ତେବେ ଶରଦ ପାୱାରଙ୍କୁ ଘରକୁ ଯିବାପାଇଁ ଦେବୁନି ବୋଲି କୁଆଡ଼େ ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଇଛନ୍ତି ବୋଲି ରାଉତ କହିଛନ୍ତି। ମହାରାଷ୍ଟ୍ରରେ ପାୱାରଙ୍କ ବିରୋଧରେ ଏଭଳି ଶବ୍ଦ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ରାଉତ କହିଛନ୍ତି।

ତେବେ ବିଜେପି କହିଛି, ରାଉତ ଡାହା ମିଛ କହିବାରେ ପାରଙ୍ଗମ ଏବଂ ତାଙ୍କ କଥା ବିଶ୍ବାସଯୋଗ୍ୟ ନୁହେଁ। ରାଉତ ଆଜି ଗଣମାଧ୍ୟମକୁ କହିଥିଲେ ଯେ ଏଭଳି ଧମକ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ସମର୍ଥନ ଅଛି କି ନାହିଁ ତାହା ସ୍ପଷ୍ଟ ହେବା ଉଚିତ। ବିଦ୍ରୋହୀ ଗୋଷ୍ଠୀକୁ ଧମକାଇ ଆଜି ରାଉତ କହିଛନ୍ତି ଶିବ ସୈନିକମାନେ ଏଯାବତ ରାସ୍ତାକୁ ଓହ୍ଲାଇ ନାହାନ୍ତି। ଆବଶ୍ୟକ ହେଲେ ଶିବସୈନିକମାନେ ରାସ୍ତାକୁ ଓହ୍ଲାଇବେ ଏବଂ ରାସ୍ତାରେ ଅସଲ ଲଢ଼େଇ ହେବ ବୋଲି ସେ କହିଛନ୍ତି। ବିଦ୍ରୋହୀ ବିଧାୟକଙ୍କ ସଂକ୍ରାନ୍ତରେ ମତ ରଖି ରାଉତ କହିଛନ୍ତି, କିଛି ନିୟମ ଅଛି। ଏବେ ଏହା ଆଇନଗତ ଲଢ଼େଇ। କିଛି ଲୋକ କହୁଛନ୍ତି ସେମାନଙ୍କ ନିକଟରେ ୪୦ ବିଧା‌ୟକଙ୍କ ସମର୍ଥନ ଅଛି। ଅନ୍ୟମାନେ ଆହୁରି ଅଧିକ କହୁଛନ୍ତି। କିନ୍ତୁ ଯେଉଁଦିନ ବିଧାୟକମାନେ ମୁମ୍ବାଇ ଆସିବେ ସେଦିନ ବାଜି ପଲଟିଯିବ।

ସମ୍ବନ୍ଧିତ ଖବର